ନୂଆଦିଲ୍ଲୀ: ବାଂଲାଦେଶକୁ ଉଭୟ ଟେଷ୍ଟ ଓ ଟି-୨୦ ସିରିଜରେ ୫-୦ରେ ମୂଳପୋଛ କରିବା ପରେ ଭାରତ ଆଗାମୀ ଟେଷ୍ଟ ସିରିଜ୍ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବାକୁ ଯାଉଛି । ଏହି ସିରିଜ୍ ଅକ୍ଟୋବର ୧୬ ତାରିଖରୁ ଆରମ୍ଭ ହେବ । ଏହି ସିରିଜରେ ଭାରତୀୟ ଅଧିନାୟକ ରୋହିତ ର୍ମାଙ୍କ ନଜର ବୀରେନ୍ଦ୍ର ସେହ୍ୱାଗଙ୍କ ମହାରେକର୍ଡ ଉପରେ ରହିଛି । ସେହ୍ୱାଗଙ୍କ ନାମରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ଛକା ମାରିବାର ରେକର୍ଡ ରହିଛି । କିନ୍ତୁ ହିଟମ୍ୟାନ ଏହି ରେକର୍ଡଠୁ ବେଶି ଦୂରରେ ନାହାନ୍ତି । ଆଶା କରାଯାଉଛି ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ରୋହିତ ସେହ୍ୱାଗଙ୍କୁ ପଛରେ ପକାଇ ଭାରତର ନୂତନ ସିକ୍ସର କିଙ୍ଗ ହୋଇଯିବେ ।
ବୀରେନ୍ଦ୍ର ସେହ୍ୱାଗ ନିଜର କ୍ୟାରିୟରରେ ୧୦୩ ଟେଷ୍ଟ ମ୍ୟାଚରେ ୧୭୮ ଇନିଂସରେ ୯୦ ଛକା ମାରିଥିଲେ । ଅନ୍ୟପଟେ ରୋହିତ ଶର୍ମା ୮୭ ଛକା ସହିତ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ରୋହିତ ଶର୍ମା ଏହି ୮୭ ଛକା ୬୧ ଟେଷ୍ଟର ୧୦୫ ଇନିଂସରେ ମାରିଛନ୍ତି ।
ଭାରତ ବନାମ ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍ ବେଙ୍ଗାଲୁରୁର ଏନ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ଏହି ମଇଦାନ ବ୍ୟାଟରଙ୍କୁ ବେଶ ସୁହାଇଥାଏ । ବାଉଣ୍ଡରୀ ଛୋଟ ହୋଇଥିବା କାରଣରୁ ଏଠାରେ ବ୍ୟାଟରଙ୍କୁ ଛକା ମାରିବାରେ ସହଜ ହୋଇଥାଏ । ତେଣୁ ରୋହିତ ଏହି ମଇଦାନରେ ହିଁ ସେହ୍ୱାଗଙ୍କ ଏହି ରେକର୍ଡ ଭାଙ୍ଗିବାକୁ ଚାହିଁବେ ।
ଟେଷ୍ଟ କ୍ରିକେଟରେ ଭାରତ ପାଇଁ ସର୍ବାଧିକ ଛକା ମାରିଥିବା ବ୍ୟାଟର
ବୀରେନ୍ଦ୍ର ସେହ୍ୱାଗ- ୯୦
ରୋହିତ ଶର୍ମା- ୮୭
ଏମଏସ ଧୋନୀ- ୭୮
ସଚିନ ତେନ୍ଦୁଲକର- ୬୯
ରବୀନ୍ଦ୍ର ଜାଡେଜା- ୬୬
ଭାରତ ବନାମ ନ୍ୟୁଜିଲାଣ୍ଡ ସିରିଜର କାର୍ଯ୍ୟସୂଚୀ
ପ୍ରଥମ ଟେଷ୍ଟ, ଅକ୍ଟୋବର ୧୬ରୁ ୨୦, ବେଙ୍ଗାଲୁରୁ
ଦ୍ୱିତୀୟ ଟେଷ୍ଟ, ଅକ୍ଟୋବର ୨୪ରୁ ୨୮, ପୁଣେ
ତୃତୀୟ ଟେଷ୍ଟ, ନଭେମ୍ବର ୧ରୁ ୫, ମୁମ୍ବାଇ
(ସମସ୍ତ ମ୍ୟାଚ୍ ଭାରତୀୟ ସମୟାନୁସାରେ ସକାଳ ସାଢେ ୯ଟାରେ ଆରମ୍ଭ ହେବ)