ନୂଆଦିଲ୍ଲୀ: କାଶ୍ମୀରର ପହଲଗାମରେ ଆତଙ୍କୀ ହମଲା ପରେ ପୂରା ଦେଶରେ ଆକ୍ରୋଶର ମାହୋଲ ରହିଛି । ଭାରତ ସରକାର ପାକିସ୍ତାନକୁ ପାନେ ଚଖାଇବା ପାଇଁ ୫ ବଡ ଆକ୍ସନ ନେଇଛନ୍ତି । ଭାରତର ପଦକ୍ଷେପରେ ବିଚଳିତ ହୋଇ ଉଠିଛି ପାକିସ୍ତାନ । ଏହା ମଧ୍ୟରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ମଧ୍ୟ ପାକିସ୍ତାନକୁ କଡା ସନ୍ଦେଶ ଦେଇଛି ।
ବିସିସିଆଇ ଅଧ୍ୟକ୍ଷ ରାଜୀବ ଶୁକ୍ଳା କହିଛନ୍ତି, ଭାରତ ଭବିଷ୍ୟତରେ ପାକିସ୍ତାନ ସହ କୌଣସି ପ୍ରକାରର ଦ୍ୱିପାକ୍ଷିକ ସିରଜ୍ ଖେଳିବ ନାହିଁ । ଭାରତ ଓ ପାକିସ୍ତାନ ମଧ୍ୟରେ ଶେଷ ଥର ୨୦୧୨-୧୩ରେ ଦ୍ୱିପାକ୍ଷିକ ସିରିଜ୍ ଖେଳା ଯାଇଥିଲା । ସେହି ସମୟରେ ପାକିସ୍ତାନ ଦଳ ସୀମିତ ଓଭର ସିରିଜ୍ ପାଇଁ ଭାରତ ଗସ୍ତ କରିଥିଲା । ସେହିପରି ଭାରତୀୟ ଦଳ ଶେଷ ଥର ୨୦୦୮ରେ ପାକିସ୍ତାନ ଗସ୍ତ କରିଥିଲା । ସେହି ସମୟରେ ଭାରତ ଏସିଆ କପ୍ ପାଇଁ ପାକିସ୍ତାନ ଯାତ୍ରା କରିଥିଲା । କିନ୍ତୁ ଭାରତୀୟ ଦଳ ୨୦୦୫-୦୬ ପରେ ଦ୍ୱିପାକ୍ଷିକ ସିରିଜ୍ ପାଇଁ ପାକିସ୍ତାନ କେବେ ଯାତ୍ରା କରି ନାହିଁ ।
ଶୁକ୍ଳା କହିଛନ୍ତି, ପହଲଗାମ ଆତଙ୍କୀ ହମଲାରେ ପ୍ରାଣ ହରାଇଥିବା ମୃତକଙ୍କ ପ୍ରତି ବିସିସିଆଇ ଗଭୀର ସମବେଦନା ଜ୍ଞାପନ କରୁଛି । ପୀଡିତଙ୍କ ପରିବାର ସହ ଆମେ ସମସ୍ତେ ଅଛୁ । ଏହିପରି କାପୁରୁଷ ଆତଙ୍କୀ ହମଲାକୁ ଆମେ ନିନ୍ଦା କରୁଛୁ । ଆମେ ପାକିସ୍ତାନ ସହ କଦାପି ଦ୍ୱିପାକ୍ଷିକ ସିରିଜ ଖେଳିବୁ ନାହିଁ । ଆମ ସରକାର ଯାହା କହିବେ ଆମେ ତାହା କରିବୁ ।
ସରକାରଙ୍କ କୂଟନୀତି କାରଣରୁ ଆମେ ପୂର୍ବରୁ ହିଁ ପାକିସ୍ତାନ ସହ ଦ୍ୱିପାକ୍ଷିକ ସିରିଜ୍ ଖେଳୁନୁ । ମାତ୍ର ଆଇସିସି ଇଭେଣ୍ଟରେ ପାକିସ୍ତାନ ସହ ଖେଳିବାକୁ ପଡୁଛି । ଆଇସିସି ମଧ୍ୟ ବେଶ ଭଲ ଭାବେ ଜାଣିଛି । ସୂଚନାଯୋଗ୍ୟ, ଏପ୍ରିଲ ୨୨ ତାରିଖରେ ଜମ୍ମୁ-କାଶ୍ମୀରର ପହଲଗାମ ଆତଙ୍କୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣା ପୂରା ଦେଶକୁ ସ୍ତବ୍ଧ କରି ଦେଇଛି ।