ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସୋମବାର ଏପ୍ରିଲ ୨୧ରେ ଖେଳାଳିଙ୍କ କେନ୍ଦ୍ରୀୟ ଅନୁବନ୍ଧନ ଅର୍ଥାତ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଘୋଷଣା କରିଛି । ଏଥିରେ ମୋଟ୍ ୩୪ ଖେଳାଳିଙ୍କୁ ସାମିଲ କରିଛି ବୋର୍ଡ । ୨୦୨୪ ଅକ୍ଟୋବର ୧ରୁ ୨୦୨୫ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହି ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ପ୍ରସ୍ତୁତ କରାଯାଇଛି । କେନ୍ଦ୍ରୀୟ ଅନୁବନ୍ଧନରେ ବ୍ୟାଟର ଶ୍ରେୟସ ଆୟର ଏବଂ ୱିକେଟ୍ କିପର ଇଶାନ କିଶନଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି । ଗତ ଥର ଏହି ଦୁଇ ଖେଳାଳିଙ୍କୁ ବୋର୍ଡ କଣ୍ଟ୍ରାକ୍ଟରୁ ବାଦ୍ ଦେଇଥିଲା । ଏ ପ୍ଲସ କାଟାଗୋରୀରେ ଏଥର ଚାରି ଖେଳାଳିଙ୍କୁ ରଖାଯାଇଛି ।
ବିସିସିଆଇ ଏ ପ୍ଲସ ଗ୍ରେଡରେ ୪, ଏ ଗ୍ରେଡରେ ୬, ବି ଗ୍ରେଡରେ ୫ ଓ ସି ଗ୍ରେଡରେ ମୋଟ୍ ୧୯ ଖେଳାଳିଙ୍କୁ ସାମିଲ କରିଛି । ଏ ପ୍ଲସ ଗ୍ରେଡରେ ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରା ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ନାଁ ସାମିଲ । ରୋହିତ, ବିରାଟ ଓ ଜାଡେଜା ଟି-୨୦ ଅନ୍ତର୍ଜାତୀୟରୁ ଅବସର ନେଇଥିଲେ ସୁଦ୍ଧା ବୋର୍ଡ ଏହି ଚାରି ଖେଳାଳିଙ୍କୁ ଟପ୍ କ୍ଲାସ ଗ୍ରେଡରେ ରଖିଚି । ବୁମରା ଏକମାତ୍ର ଖେଳାଳି ଏ ପ୍ଲସ ଗ୍ରେଡରେ ଅଛନ୍ତି, ଯିଏ ଭାରତ ପାଇଁ ତିନି ଫର୍ମାଟରେ ଖେଳୁଛନ୍ତି ।
ବିସିସିଆଇ ୨୦୨୩-୨୪ ପାଇଁ ୩୦ ଖେଳାଳିଙ୍କ ସହିତ କଣ୍ଟ୍ରାକ୍ଟ କରିଥିଲା । ଗତ ଥର ମଧ୍ୟ ରୋହିତ, ବିରାଟ, ବୁମରା ଓ ଜାଡେଜାୁ ଏ ପ୍ଲସ ଗ୍ରେଡରେ ରହିଥିଲେ । ଏଥର ଗ୍ରେଡ ସିରେ ଚାରି ଅତିରିକ୍ତ ଖେଳାଳିଙ୍କୁ ସାମିଲ କରାଯାଇଛି । ଏଥିରୁ କିଛି ଖେଳାଳି ଭାରତ ପାଇଁ ଟେଷ୍ଟ, ଦିନିକିଆ ଓ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ବିସିସିଆଇ ଗତ ଥର କିଛି ଦ୍ରୁତ ବୋଲରଙ୍କୁ ବୋଲିଂ କଣ୍ଟ୍ରାକ୍ଟ କରିଥିଲା, କିନ୍ତୁ ଏଥର ସେଭଳି କିଛି କରିନି ବୋର୍ଡ ।
ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ସ୍ଥାନ ପାଇଥିବା ଖେଳାଳିଙ୍କ ତାଲିକା
ଏ ପ୍ଲସ ଗ୍ରେଡ- ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରା ଓ ରବୀନ୍ଦ୍ର ଜାଡେଜା
ଏ ଗ୍ରେଡ- ମହମ୍ମଦ ସିରାଜ, କେଏଲ ରାହୁଲ, ଶୁଭମନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ଶାମି, ଋଷଭ ପନ୍ତ ।
ବିି ଗ୍ରେଡ- ସୂର୍ଯ୍ୟକୁମାର ଯାଦବ, କୁଲଦୀପ ଯାଦବ, ଅକ୍ଷର ପଟେଲ୍, ଯଶସ୍ୱୀ ଜୟସ୍ୱାଲ, ଶ୍ରେୟସ ଆୟର ।
ସି ଗ୍ରେଡ- ରିଙ୍କୁ ସିଂ, ତିଳକ ବର୍ମା, ଋତୁରାଜ ଗାଏକ୍ୱାଡ, ଶିବମ ଦୁବେ, ରବି ବିଷ୍ଣୋଇ, ୱାଶିଂଟନ ସୁନ୍ଦର, ମୁକେଶ କୁମାର, ସଞ୍ଜୁ ସାମସନ, ଅର୍ଶଦୀପ ସିଂ, ପ୍ରସିଦ୍ଧ କୃଷ୍ଣ, ରଜତ ପାଟିଦାର, ଧ୍ରୁବ ଜୁରେଲ, ସରଫରାଜ ଖାନ, ନୀତିଶ କୁମାର ରେଡ୍ଡୀ, ଇଶାନ କିଶନ, ଅଭିଷେକ ଶର୍ମା, ଆକାଶଦୀପ, ବରୁଣ ଚକ୍ରବର୍ତ୍ତୀ, ହର୍ଷିତ ରାଣା ।