ନୂଆଦିଲ୍ଲୀ: ପହଲଗାମ୍ ଘଟଣା ପରେ ଆକ୍ସନ ମୋଡରେ ରହିଛି ଭାରତ । ପାକିସ୍ତାନ ବିରୋଧରେ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛି ଭାରତ। ଏହାରି ଭିତରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ରାଷ୍ଟ୍ରପତି ଭବନକୁ ଯାଇ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି। ତେବେ ସର୍ବଦଳୀୟ ବୈଠକ ପୂର୍ବରୁ ରାଷ୍ଟ୍ରପତିଙ୍କ ସହ ଅମିତ ଶାହା, ଜୟଶଙ୍କରଙ୍କ ଏହି ବୈଠକ ବେଶ୍ ଗୁରୁତ୍ୱ ବହନ କରୁଛି। ଏହି ସମୟରେ ଅମିତ ଶାହଙ୍କ ହାତରେ ଏକ ଲାଲ ଫାଇଲ ଥିଲା।
ଏପଟେ ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀମାନେ ପହଲଗାମ ଆକ୍ରମଣ ବିଷୟରେ ଜର୍ମାନୀ, ଜାପାନ, ପୋଲାଣ୍ଡ, ବ୍ରିଟେନ ଏବଂ ରୁଷ ସମେତ ୨୦ରୁ ଅଧିକ ଦେଶର ରାଷ୍ଟ୍ରଦୂତଙ୍କୁ ମଧ୍ୟ ଅବଗତ କରାଇଥିଲେ। ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଜାରି ନିର୍ଦ୍ଦେଶାବଳୀ ଅନୁସାରେ, ଭାରତୀୟ ନାଗରିକମାନଙ୍କୁ ପାକିସ୍ତାନ ଯାତ୍ରା ନକରିବାକୁ କଡ଼ା ପରାମର୍ଶ ଦିଆଯାଇଛି।
ଭାରତୀୟ ନାଗରିକଙ୍କୁ ପାକିସ୍ତାନ ଯାତ୍ରା କରିବାରୁ ନିବୃତ୍ତ ରହିବା ସହ ପାକିସ୍ତାନରେ ଥିବା ଭାରତୀୟ ଶୀଘ୍ର ଭାରତ ଫେରିଆସିବାକୁ ପରାମର୍ଶ ଦେଇଛନ୍ତି ସରକାର । ସେହିପରି ଭାରତ ସରକାର ତୁରନ୍ତ ପାକିସ୍ତାନ ନାଗରିକଙ୍କ ପାଇଁ ଭିସା ସେବା ସ୍ଥଗିତ କରିବାର ମଧ୍ୟ ଘୋଷଣା କରିଛନ୍ତି । ସୁରକ୍ଷା କ୍ୟାବିନେଟ କମିଟିର ପାକିସ୍ତାନ ବିରୁଦ୍ଧରେ କୂଟନୀତି ଆକ୍ରମଣ ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ବାରା ଏହି ପରାମର୍ଶ ଜାରି କରାଯାଇଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି – ଭାରତୀୟ ନାଗରିକମାନଙ୍କୁ ଯଥାଶୀଘ୍ର ଭାରତ ଫେରିବାକୁ ପରାମର୍ଶ ଦିଆଯାଇଛି।