ନୂଆଦିଲ୍ଲୀ: ଆଜି ଆଇପିଏଲରେ ମୁହାଁମୁହିଁ ହେବେ ଲଖନଉ ସୁପର ଜାଏଣ୍ଟଓ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଆଜିର ମ୍ୟାଚ୍ ଯିଏ ଜିତିବ ସେହି ଦଳ ୧୨ ପଏଣ୍ଟରେ ପହଞ୍ଚିବ । ଏହି କାରଣରୁ ଏହି ମ୍ୟାଚ୍ ବେଶ ରୋମାଞ୍ଚକର ହୋଇପାରେ । ଲଖଉନ ଟିମର ନିଜ ହୋମ ଗ୍ରାଉଣ୍ଡର ଚଳିତ ସିଜିନରେ ପ୍ରଦର୍ଶନ ନିରାଶଜନକ ରହିଛି । ତେଣୁ ଦଳ ଆଜି ଚାପରେ ରହିବ । ତେବେ ଚାଲନ୍ତୁ ଜାଣିବା ଆଜିର ମ୍ୟାଚରେ ପିଚ୍ କେମିତି ରହିବ ? ବ୍ୟାଟର ନା ବୋଲର ପିଚ୍ କାହାକୁ ସୁହାଇବ ?
ଇକାନା ଷ୍ଟାଡିୟମରେ ଏ ପର୍ଯ୍ୟନ୍ତ ୧୮ଟି ଆଇପିଏଲ ମ୍ୟାଚ୍ ଖେଳା ଯାଇଛି । ଏଥିରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୮ ମ୍ୟାଚ୍ ଜିତିଛି । ଆଉ ବିଜୟର ପିଛା କରିଥିବା ଦଳ ୯ଟି ମ୍ୟାଚ୍ ଜିତିଛି । ଏଠାରେ ପ୍ରଥମ ଇନିଂସରେ ହାରାହାରି ସ୍କୋର ୧୬୯ ରନ ରହିଛି । ଦ୍ୱିତୀୟ ଇନିଂସରେ ସ୍କୋର ହାରାହାରି ୧୫୯ ରନ ରହିଛି । ଚଳିତ ସିଜିନରେ ଏଠାରେ ରନର ପିଛା କରିଥିବା ଦଳ ୩ଟି ମ୍ୟାଚ୍ ଜିତିଛି । ଆଉ ପ୍ରଥମେ ବ୍ୟାଟିଂ କରିଥିବା ଦଳ ଗୋଟିଏ ମ୍ୟାଚ୍ ଜିତିଛି ।
ଏହି ପିଚ୍ ଖାସ୍ କରି ଦ୍ରୁତ ବୋଲରଙ୍କୁ ସୁହାଇଥାଏ । ୬୧ ପ୍ରତିଶତ ୱିକେଟ୍ ଦ୍ରୁତ ବୋଲର ନେଇଛନ୍ତି । ଆଉ ୩୯ ପ୍ରତିଶତ ୱିକେଟ ସ୍ପିନର ନେଇଛନ୍ତି । ମୋଟାମୋଟି ପିଚ୍ ବୋଲରଙ୍କୁ ସୁହାଇଥାଏ । ମାତ୍ର ଚଳିତ ସିଜିନରେ ପିଚରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏଠାରେ ୧୮୦ ରନ ସ୍କୋର ବି ସୁରକ୍ଷିତ ରହୁନି । ଗତ ସିଜିନ ୧୫୦ ରନ ସ୍କୋର କରୁଥିବା ଦଳ ମ୍ୟାଚ୍ ଜିତୁଥିଲା । ମୋଟାମୋଟି ଏହି ପିଚରେ ଟସ୍ ଜିତିବା ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବେ । କାରଣ ଲକ୍ଷ୍ୟ ପିଛା କରିବା ଚଳିତ ସିଜିନରେ ସହଜ ରହିଛି ।