ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଦିଘାରେ ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିର ଆସନ୍ତା ୩୦ ତାରିଖ ଅକ୍ଷୟ ତୃତୀୟାରେ ଉଦଘାଟନ ହେବ। ଏହି କାର୍ଯ୍ୟକ୍ରମରେ ପୁରୀ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ପକ୍ଷରୁ ଅବଢ଼ା ଓ ଶୁଖିଲା ମହାପ୍ରସାଦ ପ୍ରସ୍ତୁତକାରୀଙ୍କ ଏକ ନିର୍ଦ୍ଦେଶ ଜାରି ହୋଇଛି। ପୁରୀ ଶ୍ରୀମନ୍ଦିରର ପଶ୍ଚିମ ଦ୍ଵାରରେ ସୁଆର ଓ ମହାସୁଆର ନିଯୋଗ ପକ୍ଷରୁ ଏହି ନୋଟିସ୍ ଜାରି କରାଯାଇଛି। ଏଥିରେ ଲେଖାଯାଇଛି ଦୀଘା ଜଗନ୍ନାଥ ମନ୍ଦିରରେ ରୋଷେଇ କିମ୍ବା ରୋଷେଇ କାର୍ଯ୍ୟରେ ସାହାଯ୍ୟ କଲେ ଶ୍ରୀମନ୍ଦିର ସେବକଙ୍କୁ ନିଲମ୍ୱନ କରାଯିବ ।
ଶ୍ରୀମନ୍ଦିର ଚାରି ଦ୍ବାରରେ ସୁଆର ମହାସୁଆର ନିଯୋଗ ପକ୍ଷରୁ ଲଗାଯାଇଛି ନିର୍ଦ୍ଦେଶନାମା। ଉଦ୍ଘାଟନୀ ଦିନ ରୋଷ କାର୍ଯ୍ୟରେ ସାମିଲ ହେବାକୁ ମନା କରାଯାଇଛି। ସାମିଲ ହେଲେ ସମ୍ପୃକ୍ତ ସୁପକାର ସଭ୍ୟଙ୍କୁ ନିଯୋଗରୁ ବାସନ୍ଦ କରାଯିବ। ଅର୍ଥାତ ଶ୍ରୀମନ୍ଦିର ରୋଷ କାର୍ଯ୍ୟରୁ ତାଙ୍କୁ ସବୁଦିନ ପାଇଁ ବାରଣ କରାଯିବ। ରୋଷ କାର୍ଯ୍ୟରେ ରନ୍ଧନ କିମ୍ବା ସାହାଯ୍ୟ କଲେ ସମ୍ପୃକ୍ତ ସୁଆର ସଭ୍ୟଙ୍କୁ ବାସନ୍ଦ କରାଯିବା ସହ କର୍ମଚାରୀ ମାନଙ୍କୁ ରୋଷ କାର୍ଯ୍ୟରୁ ସବୁଦିନ ପାଇଁ ନିଲମ୍ବିତ କରାଯିବ ବୋଲି ନିଯୋଗର ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି ।