ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ୧୦-୧୫ ବର୍ଷ ପୁରୁଣା ଗାଡ଼ି ଚଳାଉଥିବା ଲୋକଙ୍କ ପାଇଁ ଖୁୂସି ଖବର। ଦିଲ୍ଲୀ ସରକାର ଏବେ ପୁରୁଣା କାର ମାଲିକମାନଙ୍କୁ ଆଶ୍ୱସ୍ତି ଦେଇଛନ୍ତି ଏବଂ ସେଗୁଡ଼ିକୁ ନିଷେଧ କରିବାର ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛନ୍ତି। ପୁରୁଣା ଗାଡ଼ି ସ୍କ୍ରାପ୍ ନୀତିକୁ ନେଇ ଜନସାଧାରଣଙ୍କ ତୀବ୍ର ବିରୋଧ ଓ ଅସନ୍ତୋଷ ପରେ ଏବେ ସରକାର ନିଷ୍ପତି ପ୍ରତ୍ୟାହାର କରିଛନ୍ତି ।
ସରକାର ପୂର୍ବରୁ ଘୋଷଣା କରିଥିଲେ ଯେ ୧ ଜୁଲାଇ ୨୦୨୫ରୁ ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ ଗାଡ଼ି ଏବଂ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ ଓ ସିଏନଜି ଗାଡ଼ିକୁ ଇନ୍ଧନ ଯୋଗାଣ ବନ୍ଦ କରାଯିବ ଏବଂ ଏହି ଗାଡ଼ିଗୁଡ଼ିକୁ ସ୍କ୍ରାପ୍ କରାଯିବ। କିନ୍ତୁ ଏହି ନିଷ୍ପତ୍ତି ବିରୁଦ୍ଧରେ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା, ଯାହା ସରକାରଙ୍କୁ ଏହି ନୀତି ପ୍ରତ୍ୟାହାର କରିବାକୁ ବାଧ୍ୟ କରିଛି।
ଜବତ ହେବ ନାହିଁ ପୁରୁଣା ଗାଡ଼ି
ପୁରୁଣା ଗାଡ଼ି ସମ୍ପର୍କରେ ନିଷ୍ପତ୍ତି ନେଇ ଦିଲ୍ଲୀ ସରକାର ୟୁ-ଟର୍ଣ୍ଣ ନେଇଛନ୍ତି। ପୁରୁଣା ଗାଡ଼ି ଆଉ ଦିଲ୍ଲୀରେ ଅକାର୍ଯ୍ୟ ହେବ ନାହିଁ, ବରଂ ଚାଲିବ କାରଣ ରେଖା ଗୁପ୍ତା ସରକାର ଜୁଲାଇ ୧ ରୁ ଲାଗୁ ହୋଇଥିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେଇଛନ୍ତି। ଅର୍ଥାତ୍, ଏବେ ୧୦ ବର୍ଷ ପୁରୁଣା ଡିଜେଲ୍ କାର ଏବଂ ୧୫ ବର୍ଷ ପୁରୁଣା ପେଟ୍ରୋଲ୍ କାର ମଧ୍ୟ ପେଟ୍ରୋଲ୍ ପମ୍ପରେ ଇନ୍ଧନ ପାଇବେ। ଏହା ସହିତ, ଦିଲ୍ଲୀ ସରକାର ମଧ୍ୟ ନିଷ୍ପତ୍ତି ନେଇଛନ୍ତି ଯେ ପେଟ୍ରୋଲ୍ ପମ୍ପରେ ଆଉ ପୁରୁଣା ଗାଡ଼ି ଜବତ କରାଯିବ ନାହିଁ। କେବଳ ପ୍ରଦୂଷଣ ଆଧାରରେ କାର ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ସରକାରଙ୍କ ପୂର୍ବ ନିଷ୍ପତ୍ତି କଣ ଥିଲା?
ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏକ ନୂତନ ନିୟମ ଜୁଲାଇ ୧ ତାରିଖରୁ ଲାଗୁ କରାଯାଇଥିଲା, ଯାହା ଅନୁଯାୟୀ ପେଟ୍ରୋଲ ପମ୍ପଗୁଡ଼ିକୁ ୧୦ ବର୍ଷ ପୁରୁଣା ଡିଜେଲ ଗାଡ଼ି ଏବଂ ୧୫ ବର୍ଷ ପୁରୁଣା ପେଟ୍ରୋଲ ଗାଡ଼ିକୁ ଇନ୍ଧନ ଦେବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏଥିପାଇଁ ପେଟ୍ରୋଲ ପମ୍ପଗୁଡ଼ିକରେ ANPR କ୍ୟାମେରା ଲଗାଯାଇଥିଲା। କିନ୍ତୁ, ଦିଲ୍ଲୀ ସରକାରଙ୍କୁ ମାତ୍ର ୨ ଦିନ ପରେ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ପଡିଲା।