ନୂଆଦିଲ୍ଲୀ: ଭାରତର ଉପ ସେନା ପ୍ରମୁଖ ରାହୁଲ ସିଂ ଅପରେସନ ସିନ୍ଦୂରକୁ ନେଇ ମହତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି । ସେ କହିଛନ୍ତି, ଅପରେସନ ସିନ୍ଦୂର ସମୟରେ ଭାରତ ଗୋଟିଏ ପ୍ରକାରେ ତିନି ଶତ୍ରୁ ସହ ଲଢେଇ କରୁଥିଲା । ପାକିସ୍ତାନ ସହ ଲଢେଇ ଚାଲିଥିବା ବେଳେ ଚୀନ ପକ୍ଷରୁ ତାକୁ ଲାଇଭ ଅପଡେଟ୍ ମିଳୁଥିଲା । ଏହା ବ୍ୟତୀତ ତୁର୍କୀ ପକ୍ଷରୁ ଅସ୍ତ୍ରଶସ୍ତ୍ର ସହାୟତା ମିଳୁଥିଲା । ଏହିପରି ଭାରତ ସୀମାରେ ତିନି ଶତ୍ରୁ ସହ ମୁକାବିଲା କରୁଥିଲା । ଉପ ସେନା ପ୍ରମୁଖ ରାହୁଲ ସିଂ FICCI ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଉପରୋକ୍ତ ଟିପ୍ପଣୀ କରିଛନ୍ତି ।
ନୂଆ ଯୁଗରେ ମିଲିଟାରୀ ଜ୍ଞାନକୌଶଳ ବିଷୟରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଲେଫ୍ଟନାଣ୍ଟ ଜେନେରାଲ କହିଛନ୍ତି ଆମ ସାମ୍ନାରେ ସୀମା ଗୋଟିଏ ଥିଲା । ମାତ୍ର ଶତ୍ରୁ ବାସ୍ତବରେ ତିନି ଥିଲେ । ପାକିସ୍ତାନ ସାମ୍ନାରେ ଥିଲା ଏବଂ ଚୀନ-ତୁର୍କୀ ପ୍ରଚ୍ଛଦପଟରୁ ତାକୁ ସାହାଯ୍ୟ କରୁଥିଲେ । ପାକିସ୍ତାନ ପାଖରେ ଯେଉଁ ଅସ୍ତ୍ରଶସ୍ତ୍ର ରହିଛି ସେଥିରୁ ୮୧ ପ୍ରତିଶତ ଚୀନର । ଏହି ପରି ଚୀନ ନିଜ ଅସ୍ତ୍ରଶସ୍ତ୍ରର ଟେଷ୍ଟିଂ ଅନ୍ୟ ହତିଆର ସାମ୍ନାରେ କରି ନେଇଛି । ତୁର୍କୀ ନିଜ ଶୈଳୀରେ ପାକିସ୍ତାନର ପୂରା ସହାୟତା କରିଛି । ଡିଜିଏମଓସ୍ତରରେ ଯେବେ ଆଲୋଚନା ଚାଲିଥିଲା, ପାକିସ୍ତାନକୁ ପୂରା ଅପଡେଟ୍ ଚୀନ ପକ୍ଷରୁ ମିଳୁଥିଲା ।
ଲେଫ୍ଟନାଣ୍ଟ ଜେନେରାଲ ରାହୁଲ ସିଂ କହିଛନ୍ତି, ଆମ ପାଖରେ ଏକ ମଜବୁତ ଏୟାର ଡିଫେନ୍ସ ସିଷ୍ଟମ ରହିବା ଉଚିତ୍ । ଯଦ୍ୱାରା ଆମେ ପାକିସ୍ତାନ ଓ ଚୀନର ବିପଦକୁ ଏକ ସଙ୍ଗେ ମୁକାବିଲା କରି ପାରିବୁ । ପୂରା ଅପରେସନ ସମୟରେ ଆକାଶ ମାର୍ଗରୁ ସୁରକ୍ଷା କେମିତି କରାଯାଏ ତାହା ମହତ୍ୱପୂର୍ଣ୍ଣ । ଏଥର ଆମର ନାଗରିକଙ୍କୁ କୌଣସି ଖାସ୍ କ୍ଷତି ଘଟିନାହିଁ । ମାତ୍ର ଆମକୁ ଆମର ଏୟାର ଡିଫେନ୍ସ ସିଷ୍ଟମକୁ ଆହୁରି ମଜବୁତ କରିବାକୁ ପଡିବ ।