ଆହ୍ଲାବାଦ: ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ଶାହି ଇଦଗାହ ମାମଲାରେ ହିନ୍ଦୁ ପକ୍ଷଙ୍କୁ ଆହ୍ଲାବାଦ ହାଇକୋର୍ଟରୁ ଲାଗିଛି ବଡ ଝଟକା । ଶାହି ଇଦଗାହକୁ ଅଯୋଧ୍ୟାର ରାମଜନ୍ମଭୂମି ପରି ବିବାଦୀୟ ଢାଞ୍ଚା ଘୋଷିତ କରିବା ଦାବିରେ ଦାଖଲ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି । ହାଇକୋର୍ଟର ବିଚାରପତି ରାମ ମନୋହର ନାରାୟଣ ମିଶ୍ର ଶୁକ୍ରବାର ଶୁଣାଣି ସମୟରେ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ହିନ୍ଦୁ ପକ୍ଷର ଓକିଲ ମହେନ୍ଦ୍ର ପ୍ରତାପ ସିଂ କୋର୍ଟରେ ମସଜିଦକୁ ବିବାଦୀୟ ଢାଞ୍ଚା ଘୋଷିତ କରିବାକୁ ଦାବି କରିଥିଲେ । ଏହା ଉପରେ କୋର୍ଟ ମେ ୨୩ରେ ନିଜର ରାୟ ସଂରକ୍ଷିତ ରଖିଥିଲେ ।
ହିନ୍ଦୁ ପକ୍ଷକାର ଆଡଭୋକେଟ୍ ମହେନ୍ଦ୍ର ପ୍ରତାପ ସିଂ କୋର୍ଟରେ କହିଥିଲେ ଯେ, ମସଜିଦ ପୂର୍ବେ ମନ୍ଦିର ଥିଲା । ସେଠାରେ ମସଜିଦ ଥିବାର କୌଣସି ସାକ୍ଷ୍ୟ ଶାହି ଇଦଗାହ ପକ୍ଷ କୋର୍ଟରେ ଉପସ୍ଥାପନ କରି ନାହାନ୍ତି । ନଗର ନିଗମରେ ଏହା ଏକ ମସଜିଦ ଥିଲା ବୋଲି ରେକର୍ଡ ବି ନାହିଁ । ନା କୌଣସି ଟ୍ୟାକ୍ସ ଦିଆଯାଉଛି । ଏପରିକି ଶାହି ଇଦଗାହ ଉପରେ ବିଜୁଳି ଚୋରିର ଅଭିଯୋଗ ମଧ୍ୟ ରହିଛି । ତେଣୁ ଏହାକୁ ମସଜିଦ କୁହାଯାଇ ପାରିବ ନାହିଁ ।
ହିନ୍ଦୁ ପକ୍ଷଙ୍କ ମୁତାବକ ନ୍ୟାୟାଳୟ ଅଯୋଧ୍ୟା ମାମଲାରେ ନିଜର ରାୟ ଦେବା ପୂର୍ବରୁ ବାବ୍ରି ମସଜିଦକୁ ବିବାଦୀୟ ଢାଞ୍ଚା ଭାବେ ଘୋଷିତ କରିଥିଲା । ଏଥିପାଇଁ ଶାହି ଇଦଗାହ ମସଜିଦକୁ ମଧ୍ୟ ବିବାଦୀୟ ଢାଞ୍ଚା ଘୋଷିତ କରାଯାଉ । କୌଣସି ଜାଗାକୁ ଦଖଲ କରି ମସଜିଦ ନିର୍ମାଣ କରି ଦେଲେ ତାହା ମସଜିଦ ବୋଲି କୁହାଯାଇ ପାରିବ ନାହିଁ । ସବୁ ପକ୍ଷର ତର୍କ ଶୁଣିବା ପରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ଆଉ ଆଜି ଏୟାର ରାୟ ଶୁଣାଇଛନ୍ତି ।