ବଲାଙ୍ଗୀର: ଟିଟିଲାଗଡ଼ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲେଶ୍ୱର ମାଝୀଙ୍କୁ ଭିଜିଲାନ୍ସ ଟିମ୍ ସୋମବାର ଗିରଫ କରିଛି । ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ ହୋଇଛନ୍ତି ।
ଗତକାଲି ଦିଲେଶ୍ୱର ମାଝୀଙ୍କର ସମ୍ବଲପୁର, ବ୍ରଜରାଜନଗର, ଝାରସୁଗୁଡାରେ ଏକାକାଳୀନ ୬ଟି ସ୍ଥାନରେ ରେଡ୍ ହୋଇଥିଲା । ଏଥିରେ ୫ ଡିଏସଏସପି, ୮ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ସାମିଲ ଥିଲେ । ଯନ୍ତ୍ରୀଙ୍କର ଅଚଳାଚଳ ସମ୍ପତ୍ତି ତାଲିକା ଦେଖି ଭିଜିଲାନ୍ସ ବିଭାଗର ଆଖି ଖୋସିହୋଇଯାଇଥିଲା । ସମ୍ବଲପୁର, ଝାରସୁଗୁଡ଼ା ବ୍ରଜରାଜ ନଗର ଏବଂ ଲହଣ୍ଡାପୁରରେ ୪ଟି ବହୁତଳ ବିଶିଷ୍ଟ କୋଠା ନିର୍ମାଣ କରିଥିବାବେଳେ ଗୋଟିଏ ମାର୍କେଟ କଂପଲେକ୍ସ ଠାବ ହୋଇଥିଲା । ସେହିପରି ସମ୍ବଲପୁର ଏବଂ ଝାରସୁଗୁଡ଼ାରେ ୯ଟି ଦାମୀ ପ୍ଲଟ୍ ମଧ୍ୟ ହାତେଇଛନ୍ତି । ଖାଲି ସେତିକି ନୁହେଁ ବାସଭବନ ଯାଞ୍ଚବେଳେ ନଗଦ ୬ ଲକ୍ଷ ୫୭ ହଜାର ଟଙ୍କା ସହ ୩୦୦ ଗ୍ରାମର ସୁନା ଅଳଙ୍କାର ଜବତ ହୋଇଥିଲା । ସେପଟେ ବ୍ୟାଙ୍କରେ ମଧ୍ୟ ୨୦ ଲକ୍ଷ ଟଙ୍କାର ଜମା ରାଶି ଏବଂ ଗୋଟିଏ ୪ ଚକିଆ ଗାଡ଼ି ଥିବା ଜଣାପଡ଼ିଛି । ଭିଜିଲାନ୍ସ ଅଧିକାରୀଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ମାତ୍ର ସେ କୌଣସି ସନ୍ତୋଷ ଜନକ ଉତ୍ତର ନ ଦେଇ ପାରିବାରୁ ତାଙ୍କୁ ଗିରଫ କରାଯାଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ୧୯୯୯ ଅଗଷ୍ଟ ମାସରେ ଦିଲେଶ୍ୱର ମାଝୀ କର୍ମ ବିଭାଗରେ ବରଗଡ଼ରେ କନିଷ୍ଠ ଯନ୍ତ୍ରୀ ଭାବରେ ଚାକିରୀ ଆରମ୍ଭ କରିଥିଲେ । ୨୦୦୧ରେ ମାଝୀଙ୍କୁ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକକୁ ଜେଇ ଭାବରେ ବଦଳି କରାଯାଇଥିଲା ଏବଂ ସେ ୨୦୦୩ ପର୍ଯ୍ୟନ୍ତ ସେଠାରେ କାର୍ଯ୍ୟ କରିଥିଲେ । ୨୦୦୩ ରୁ ୨୦୦୭ ପର୍ଯ୍ୟନ୍ତ ସେ ଝାରସୁଗୁଡା ଜିଲ୍ଲାର ବିଭିନ୍ନ ବ୍ଲକରେ ଜେଇ ଭାବରେ କାର୍ଯ୍ୟ କରିଥିଲେ । ପୁଣି ୨୦୦୮ ରୁ ୨୦୧୩ ପର୍ଯ୍ୟନ୍ତ ସେ କଣ୍ଟାବାଞ୍ଜି ଆର ଆଣ୍ଡ ବି ଡିଭିଜନରେ ଜେଇ ଭାବରେ କାର୍ଯ୍ୟ କରିଥିଲେ । ୨୦୧୪ ସହକାରୀ ଯନ୍ତ୍ରୀ ପଦୋନ୍ନତି ପାଇ ବରଗଡ଼ର ଆର ଆଣ୍ଡ ବି ଡିଭିଜନ ଅଧୀନରେ ବିଭିନ୍ନ ଡିଭିଜନରେ କାର୍ଯ୍ୟ କରିଥିଲେ । ସେହିପରି ୨୦୨୨ରେ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବୀକୁ ପଦୋନ୍ନତି ପାଇ ଏବଂ ଟିଟିଲଗଡ଼ରେ କାର୍ଯ୍ୟରତ ଅଛନ୍ତି।