ପୁରୀ: ସରିଲା ଆଡ଼ପମଣ୍ଡପରେ ଶ୍ରୀଜିଉଙ୍କ ଶେଷ ଦର୍ଶନ। ରାତିପାହିଲେ ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ି ଆସିବେ ମହାପ୍ରଭୁ। ଶେଷଦିନରେ ୬ଟା ଯାଏଁ ସନ୍ଧ୍ୟା ଦର୍ଶନ ଚାଲିଥିବା ବେଳେ ଲକ୍ଷାଧିକ ଭକ୍ତ ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ କରିଛନ୍ତି। ବିଶ୍ବାସ ରହିଛି, ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆଡପ ମଣ୍ଡପରେ ଦର୍ଶନ କଲେ ଶ୍ରୀମନ୍ଦିରରେ ୧୦ ବର୍ଷ ଦର୍ଶନର ସମାନ ଫଳ ମିଳିଥାଏ । ଏପରିକି ଅଶ୍ବମେଧ ଯଜ୍ଞର ଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି ।
ମହାପ୍ରଭୁ ରଥଯାତ୍ରାରେ ଜନ୍ମବେଦୀକୁ ଆସିବା ବେଳେ ସପ୍ତାହ ଧରି ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରନ୍ତି। ମହାପ୍ରଭୁଙ୍କୁ ଆଡପ ମଣ୍ଡପରେ ଦର୍ଶନ କରିବା ପାଇଁ କୋଣଅନୁକୋଣରୁ ଲକ୍ଷାଧିକ ଭକ୍ତ ଶ୍ରୀକ୍ଷେତ୍ରକୁ ଧାଇଁ ଆସନ୍ତି। ଆଜି ସନ୍ଧ୍ୟା ୬ଟା ପରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିଥିବା ବେଳେ ଏପଟେ ବାହୁଡ଼ା ପାଇଁ ପ୍ରସ୍ତୁତି ଆରମ୍ଭ ହେଉଛି। ଆସନ୍ତାକାଲି ବାହୁଡାରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିର ଫେରିବେ କାଳିଆ ସାଆନ୍ତ।
ବାହୁଡା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ :
ଆସନ୍ତାକାଲି ବାହୁଡା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି । ଭୋର୍ ୪ଟାରେ ମଙ୍ଗଳ ଆଳତୀ କରାଯିବା ପରେ ୪.୧୫ରେ ମଇଲମ, ତଡ଼ପଲାଗି ଭୋର୍ ୪.୩୦ରେ, ଅବକାଶ ସକାଳ ୫ ଟାରେ ଏବଂ ବେଶଶେଷ ସକାଳ ୫.୩୦ଟା କରାଯିବ। ସେହିପରି ଗୋପାଳ ବଲ୍ଲଭ ଓ ସକାଳ ଧୂପ ୫.୪୫ ରୁ ୬.୪୫ମଧ୍ୟରେ ହେବ ଏବଂ ସେନାପଟାଲାଗି ସକାଳ ୭.୦୦ ରୁ ୧୧.୩୦ଟା ଭିତରେ କରାଯିବ। ବାହୁଡ଼ା ପାଇଁ ପହଣ୍ଡି ୧୨ଟାରୁ ଆରମ୍ଭ ହୋଇ ସାଢେ ୨ଟା ଭିତରେ କରାଯିବ ଏବଂ ରଥଟଣା ଅପରାହ୍ନ ୪ଟାରେ ଆରମ୍ଭ ହେବ।
ବାହୁଡା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା:
ପୁରୀ ଜିଲ୍ଲାପାଳ ଚଞ୍ଚଳ ରାଣା କହିଛନ୍ତି, ‘ଆଜି ମହାପ୍ରଭୁଙ୍କ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ସବୁ ବ୍ୟବସ୍ଥା ହୋଇଛି । ମହାପ୍ରଭୁଙ୍କ ସବୁ ନୀତିକାନ୍ତି ଠିକରେ ଚାଲିଛି । ତେବେ ଆସନ୍ତାକାଲି ବାହୁଡା଼ ଯାତ୍ରା ପାଇଁ ପୁରୀକୁ ଭକ୍ତଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଛି । ତେବେ ଆମେ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ । ଭକ୍ତ ମାନେ କିଭଳି ଭଲରେ ମହାପ୍ରଭୁଙ୍କ ଦର୍ଶନ ପାଇବେ ସେ ନେଇ ସବୁ ପ୍ରକାର ବ୍ୟବସ୍ଥା ହୋଇଛି । ତେବେ ବାହୁଡା଼ ଦିନ ଶ୍ରୀମନ୍ଦିର ସିଂହଦ୍ଵାରରେ ରଥ ପହଞ୍ଚିବା ଆବଶ୍ୟକ ଥିବାରୁ ରଥ ଭିତର କର୍ଡନରେ ଯେତିକି ଆବଶ୍ୟକ ଲୋକ ସେତିକି ହିଁ ରହିବେ । ଏହା ଉପରେ ଆମେ ବେଶୀ ଗୁରୁତ୍ଵ ଦେଉଛୁ ।