ପୁରୀ: ପବିତ୍ର ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ପୁରୀ ଆଉ ପୌରାଞ୍ଚଳ ମାନ୍ୟତାରେ ରହିବ ନାହିଁ । ଏଣିକି ମହାନଗର ନିଗମ ହେବ ଜଗନ୍ନାଥ ଧାମ ପୁରୀ । ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ଗୁଣାତ୍ମକ ସୁବିଧା ଯୋଗାଇବା ପାଇଁ ସରକାର ପୁରୀ ପୌରପାଳିକାକୁ ମହାନଗର ନିଗମରେ ପରିଣତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପୁରୀ ସହର ଏବଂ ଆଖପାଖ ଅବସ୍ଥିତ ଗ୍ରାମ ପଞ୍ଚାଯତକୁ ସାମିଲ କରି ପୁରୀ ମହାନଗର ନିଗମ ଗଠିତ ହେବ। ଏହା ଦ୍ଵାରା ପୁରୀ ସଦର ଏବଂ ବ୍ରହ୍ମଗିରି ବ୍ଲକର ପ୍ରାୟ ସାତରୁ ଆଠଗୋଟି ଗ୍ରାମ ପଞ୍ଚାୟତକୁ ସାମିଲ କରାଯିବ, ଯାହା ଫଳରେ ଏହି ପଞ୍ଚାୟତବାସୀ ସହର ପରି ସୁବିଧା ପାଇ ପାରିବେ। ଆସନ୍ତା କାଲି ଠାରୁ ଏହ ସମ୍ବନ୍ଧୀୟ ସମସ୍ତ ପ୍ରକ୍ରିୟା ଆରମ୍ଭ କରାଯିବ। ଏଥିସହିତ ନାଗରିକ ସୁବିଧା, ବହୁବିଧ ସେବା, ଭକ୍ତ ଓ ପର୍ଯ୍ୟଟକ ଚର୍ଚ୍ଚା ଏସବୁରେ ଆସିବ ବଡ଼ ସକାରାତ୍ମକ ପରିବର୍ତ୍ତନ । ଏନେଇ ଲକ୍ଷ୍ୟ ରଖିଛନ୍ତି ସରକାର ।
ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ, ଗ୍ରନ୍ଥାଗାର ଏବଂ ଗବେଷଣାର ହେବ ପ୍ରତିଷ୍ଠା
ମୁଖ୍ୟମନ୍ତ୍ରୀ କହିଛନ୍ତି, ପୁରୀ ସହରରେ ପ୍ରତିଷ୍ଠା ହେବ ବିଶ୍ବସ୍ତରୀୟ ଜଗନ୍ନାଥ ମ୍ୟୁଜିୟମ । ଜଗନ୍ନାଥ ମ୍ୟୁଜିୟମ ସହ ଗବେଷଣା କେନ୍ଦ୍ର ଓ ଲାଇବ୍ରେରୀ ନିର୍ମାଣ ହେବ । ଗୋଟିଏ ପରିସରରେ ମ୍ୟୁଜିୟମ, ଗବେଷଣା କେନ୍ଦ୍ର ଓ ଲାଇବ୍ରେରୀ କେନ୍ଦ୍ର ରହିବ । ଅଡିଟୋରିୟମ ସହ ମୁକ୍ତାକାଶ ରଙ୍ଗମଞ୍ଚ ହେବା ନେଇ ମଧ୍ୟ ସେ ଘୋଷଣା କରିଛନ୍ତି । ଏହାଫଳରେ ଶ୍ରୀ ଜଗନ୍ନାଥ ସଂସ୍କୃତି, କିମ୍ବଦନ୍ତୀ ଓ ଇତିହାସର ପ୍ରଚାର ପ୍ରସାର ହେବ । ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦିଆଯିବ । ଏନେଇ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ପୁରୀକୁ ଦେଶର ସର୍ବଶ୍ରେଷ୍ଠ ଧର୍ମୀୟ ଓ ପର୍ୟ୍ୟଟନ ସ୍ଥଳ ଭାବେ ଗଢି ଗୋଳିବାକୁ ସରକାର ବଦ୍ଧପରିକର। ଏଥିପାଇଁ ଅନେକ ନୂତନ ପ୍ରକଳ୍ପର ନିର୍ମାଣ ଏବଂ ରକ୍ଷଣା ବେକ୍ଷଣର ଅବଶ୍ୟକତା ରହିଛି। ୨୦୩୬ ସୁଦ୍ଧା ପୁରୀକୁ ଦେଶର ଏକ ମୁଖ୍ୟ ଧର୍ମୀୟ ଓ ପର୍ୟ୍ୟଟନ ସ୍ଥଳରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏକ ସୁନ୍ଦର, ସବୁଜ, ବିକଶିତ ପୁରୀ ସହର ବିନା ସମୃଦ୍ଧ ଓଡିଶାର ପରିକଳ୍ପନା ଅସମ୍ଭବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।