ଭୁବନେଶ୍ୱର: ବାହୁଡ଼ା ଯାତ୍ରା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଐତିହାସିକ ଘୋଷଣା କରିଛନ୍ତି । ପୁରୀ ପୌରପାଳିକା ମହାନଗର ନିଗମରେ ପରିବର୍ତ୍ତନ ହେବ । ଏହା ସହିତ ପୁରୀରେ ପ୍ରତିଷ୍ଠା ହେବ ଶ୍ରୀଜଗନ୍ନାଥ ମ୍ୟୁଜିୟମ । ଯାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର ।
ସାଂସଦ ପୁରୀବାସୀଙ୍କ ତରଫରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଘୋଷଣା ସାଧାରଣ ଲୋକ ଲାଭାନ୍ୱିତ ହେବେ । ମହାନଗର ନିଗମ ପରିବର୍ତ୍ତନ କରିବାକୁ ହେଲେ ଆଖପାଖ ଅଞ୍ଚଳର ୨୫ ରୁ ୩୦ ଗାଁ ତଥା ପ୍ରାୟ ୭ ରୁ ୧୦ଟି ପଞ୍ଚାୟତ ଏଥିରେ ଯୋଡ଼ି ହେବ । ସେହିପରି ପୁରୀ ଜଗନ୍ନାଥ ଧାମ ସହିତ ଏକ ପର୍ଯ୍ୟଟନ ସହର ଅଟେ । ମହାପ୍ରଭୁଙ୍କ ଲୀଳା ପ୍ରଚାର ପ୍ରସାରଣ ପାଇଁ ଗବେଷଣା କେନ୍ଦ୍ର, ପୁସ୍ତକାଳୟ, ମ୍ୟୁଜିୟମ ଏବଂ ଅଡ଼ିଟୋରିୟମ ମଧ୍ୟ ନିର୍ମାଣ କରାଯିବ । ଏହା ଏକ ବହୁତ ବଡ଼ ପଦକ୍ଷେପ ଅଟେ । ଏହି ଘୋଷଣା ପୁରୀକୁ ପରିବର୍ତ୍ତନ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।
ସେହିପରି 2036 ଭିଜନ୍ ପାଇଁ ଓଡ଼ିଶାର ସମସ୍ତ ସହର, ଟାଉନ୍ ଏବଂ ପ୍ରତ୍ୟେକ କୋଣ ଗୁରୁତ୍ୱପୂର୍ଣ୍ଣ ଅଟେ । କିନ୍ତୁ ଯେଉଁଠି ମହାପ୍ରଭୁ ଜଗନ୍ନାଥ ବସିଛନ୍ତି ତାହା ସାରା ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।
ମୁଖ୍ୟମନ୍ତ୍ରୀ ପୁରୀ ସହରକୁ ମହାନଗର ନିଗମ କରିବାକୁ ଘୋଷଣା କରିଛନ୍ତି । ପୁରୀ ସହର ଏବଂ ଆଖପାଖରେ ଅବସ୍ଥିତ ଗ୍ରାମ ପଞ୍ଚାୟତକୁ ସାମିଲ କରି ପୁରୀ ମହାନଗର ନିଗମ ଗଠିତ ହେବ। ଏହା ସହ ପୁରୀ ଠାରେ ଏକ ଆନ୍ତର୍ଜାତିକ ମାନର ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ, ପୁସ୍ତକାଳୟ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବା ନିମନ୍ତେ ମଧ୍ୟ ଘୋଷଣା କରାଯାଇଛି। ଶ୍ରୀ ଜଗନ୍ନାଥ ସଂଗ୍ରହାଳୟରେ ବିଭିନ୍ନ ଚିତ୍ରକଳା, ପ୍ରତିମୂର୍ତ୍ତି, ପଟ୍ଟଚିତ୍ର ଇତ୍ୟାଦି ମାଧ୍ୟମରେ ଜଗନ୍ନାଥ ସଂସ୍କୃତିର ଐତିହ୍ୟ, ଇତିହାସ ଏବଂ ପୌରାଣିକ ଗୁରୁତ୍ୱକୁ ପ୍ରଦର୍ଶିତ କରାଯିବା ସହ ଗବେଷଣା କେନ୍ଦ୍ର ମାଧ୍ୟମରେ ଅଧ୍ୟୟନ ଏବଂ ଅନୁସନ୍ଧାନକୁ ପ୍ରୋତ୍ସାହିତ କରାଯିବ। ଏହି ପ୍ରକଳ୍ପ ଜଗନ୍ନାଥ ସଂସ୍କୃତି , ସାହିତ୍ୟ ଓ ପରମ୍ପରାକୁ ସମୃଦ୍ଧ କରିବା ସହିତ ପୁରୀକୁ ଭାରତର ପ୍ରମୁଖ ଆଧ୍ୟାତ୍ମିକ ପର୍ଯ୍ୟଟନ କେନ୍ଦ୍ର ଭାବେ ପ୍ରତିଷ୍ଠା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।