ବ୍ରହ୍ମପୁର: ଘରୋଇ କଳିର କରୁଣ ପରିଣତି । ସ୍ୱାମୀ ସ୍ତ୍ରୀ ସହିତ ଝଗଡା ହେବାରୁ ସ୍ୱାମୀ ନିଜ ବେକ ନିଜେ କାଟି ଦେଇଛନ୍ତି । ଏପରି ଏକ ଅଭାବନୀୟ ଘଟଣା ବ୍ରହ୍ମପୁର ବଡ଼ ବଜାର ଥାନା ଖାରବେଳ ନଗରରେ ଘଟିଛି । ଯୁବକ ଜଣକ ଆହତ ଅବସ୍ଥାରେ ଏମକେସିଜି ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଯୁବକ ଜଣକ ଅଶୋକ ପାଣିଗ୍ରାହୀ ।
ସୂଚନା ଅନୁସାରେ, ବ୍ରହ୍ମପୁର ଖାରବେଳ ନଗରରେ ରହୁଥିବା ଅଶୋକ ପାଣିଗ୍ରାହୀ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା । ଧୀରେ ଧୀରେ ଝଗଡ଼ା ଉଗ୍ରରୂପ ଧାରଣ କରିଥିଲା । ସ୍ୱାମୀ ରାଗିଯାଇ ସ୍ତ୍ରୀର କିଛି କ୍ଷତି ନ କରି ନିଜେ ନିଜ ବେକ କାଟିଦେଇଥିଲେ । ଏହା ପରେ ନିଜେ ବାଇକ ଚଳାଇ ଚିକିତ୍ସା ପାଇଁ ଏମକେସିଜି ମେଡ଼ିକାଲ ଯାଇଥିଲେ । ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।