ଭୁବନେଶ୍ୱର: ରାଜ୍ୟରେ ଲଘୁଚାପଜନିତ ବର୍ଷା ଜାରି ରହିଛି । ତୁହାକୁ ତୁହା ବର୍ଷାରେ ରାଜ୍ୟର ରାଜଧାନୀଠୁ ଆରମ୍ଭ କରି ନଦୀକୂଳିଆ ଅଞ୍ଚଳ ଜଳମଗ୍ନ ହୋଇପଡିଲାଣି । ବାଲେଶ୍ୱର, ମୟୂରଭଞ୍ଜ ଭଳି ଜିଲ୍ଲାରେ ବନ୍ୟା ପାଣି ଘରେ ପଶିଲାଣି । ଫଳରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଗଲା ସତ୍ୱେ ଜୀବନଜୀବିକା ବାଧାପ୍ରାପ୍ତ ହେଉଛି ।
ବନ୍ୟା ପ୍ରଭାବିତ ଅଞ୍ଚଳରେ ମୁଖ୍ୟ ସମସ୍ୟା ପିଲାଙ୍କ ପାଠପଢିବାକୁ ନେଇ ସୃଷ୍ଟି ହୋଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍କୁଲ ଖୋଲିବ କି ବନ୍ଦ ରହିବ ସେନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସ୍ପଷ୍ଟ କରିଛନ୍ତି । ମନ୍ତ୍ରୀ କହିଛନ୍ତି, " ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍କୁଲ ଖୋଲିବ କି ନାହିଁ ସେ ନିଷ୍ପତ୍ତି ଉକ୍ତ ଜିଲ୍ଲାର ଜିଲ୍ଲାପାଳ ନେବେ । ଜିଲ୍ଲାପାଳ ବନ୍ୟାଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିବେ ତା ପରେ ନିଷ୍ପତ୍ତି ନେବେ । ବନ୍ୟାଞ୍ଚଳରେ ପିଲାମାନେ କିପରି ପାଠ ପଢ଼ିବେ, କିପରି ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କରାଯିବ ସେନେଇ ଜିଲ୍ଲାପାଳ ତଦାରଖ କରୁଛନ୍ତି । ଯଦି ପିଲାମାନେ କିଛି ଅସୁବିଧାର ସମ୍ମୁଖୀନ ହେଉଥିବେ ତେବେ ଉକ୍ତ ସ୍ଥାନରେ କିଛି ଦିନ ପାଇଁ ସ୍କୁଲ ବି ବନ୍ଦ ହୋଇପାରେ । କ’ଣ କଲେ ଠିକ୍ ହେବ ଜିଲ୍ଲାପାଳ ନିଷ୍ପତ୍ତି ନେବେ । ଜିଲ୍ଲାପାଳ ସ୍ଥିତି ଉପରେ ଅନୁଧ୍ୟାନ କରି ନିଷ୍ପତ୍ତି ନେବେ ।