ଭୁବନେଶ୍ୱର: ତେଲେଙ୍ଗାନା ସାଙ୍ଗାରେଡ୍ଡୀ ଜିଲ୍ଲାରେ ଥିବା ସିଗାଚୀ କମ୍ପାନୀରେ ବିସ୍ଫୋରଣରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ପରିବାର ପାଇଁ ସହାୟତା ରାଜ୍ୟ ସରକାର । ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ । ଏହା ସହିତ ରାଜ୍ୟ ସରକାରଙ୍କ ଏକ ଅଧିକାରୀ ଦଳ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର ଓ ଚିକିତ୍ସା କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି । ଉକ୍ତ ବିସ୍ଫୋରଣରେ ପ୍ରାଣ ହରାଇଥିବା ୪୦ଙ୍କ ମଧ୍ୟରୁ ୮ ଜଣ ଓଡ଼ିଆ ଶ୍ରମିକ ଥିଲେ ।
ମୃତକମାନେ ହେଲେ ଗଞ୍ଜାମ ଛତ୍ରପୁରର ରାଜନାଲା ଜଗନ୍ ମୋହନ, ମହାନନ୍ଦପୁରର ସିଦ୍ଧାର୍ଥ ଗୌଡ଼ ଓ ବ୍ରହ୍ମପୁର ପ୍ରଶାନ୍ତ ମହାପାତ୍ର, କଟକ ତିଗିରିଆ ଅନ୍ତର୍ଗତ ପାର୍ବତୀପୁର ଗ୍ରାମର ମନୋଜ ରାଉତ, ଯାଜପୁର ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଏରବଙ୍କ ଗ୍ରାମର ଦୋଳ ଗୋବିନ୍ଦ ସାହୁ ଏବଂ ନବରଙ୍ଗପୁର ଜିଲ୍ଲାର ଚଇତୁ ଭତ୍ରା ଓ ରମେଶ ଗୌଡ଼
ଏଠାରେ ଉଲ୍ଲେଖ ଯୋଗ୍ୟ, ଜୁନ ୩୦, ସୋମବାର ସାଙ୍ଗାରେଡ୍ଡିର ପାସମେଲାରାମ ଫେଜ୍-୧ସ୍ଥିତ ସିଗାଚି ଫାର୍ମା ପ୍ଲାଣ୍ଟରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା, ଯାହା ପରେ କାରଖାନାରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏହି ସମୟରେ କାରଖାନାରେ ଉପସ୍ଥିତ ଥିବା କର୍ମଚାରୀଙ୍କ ଗୁରୁତର ହୋଇଥିଲେ । ସେମାନଙ୍କ ମଧ୍ୟରୁ ୪୦ ଜଣ ପ୍ରାଣ ହରାଇଥିଲେ । ସମସ୍ତ ମୃତକଙ୍କ ପରିବାର ବର୍ଗ ପାଇଁ କମ୍ପାନୀ ୧ କୋଟି ଅନୁକମ୍ପା ରାଶି ଘୋଷଣା କରିଥିଲା ।