ଭୁବନେଶ୍ୱର: ନିର୍ବାଚନର ପୂର୍ବରୁ ସଂକଳ୍ପ ପତ୍ରରେ ଘୋଷଣା କରାଯାଇଥିଲା ଯେ ଚିଟଫଣ୍ଡ କ୍ଷତିଗ୍ରସ୍ତ ସମସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯିବ । ସେ ଛୋଟ କିମ୍ବା ବଡ଼ ଜମାକାରୀ ହେଉ ସମସ୍ତେ ନିଜର ଟଙ୍କା ଫେରସ୍ତ ପାଇବେ । ସରକାରଙ୍କ ଦାୟିତ୍ୱ ହେଉଛି ଲୋକଙ୍କ ବିଶ୍ୱାସ ଏବଂ ବିଶ୍ୱସନୀୟତାକୁ ରକ୍ଷା କରିବା । ଏଭଳି ଏକ ନିଷ୍ପତ୍ତି ନେଇ ଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ପୂର୍ବ ସରକାର କମିଶନ ପରେ କମିଶନ ବସାଇଲେ । କିନ୍ତୁ ତଦନ୍ତ ରିପୋର୍ଟ ସାର୍ବଜନୀନ କରାଗଲା ନାହିଁ ବୋଲି ବିଜେଡ଼ିକୁ ଟାର୍ଗେଟ୍ କରିଛନ୍ତି ବିଜେପି ସଭାପତି ।
ସଭାପତି ମନମୋହନ ସାମଲ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଆଗାମୀ ଚାରି ମାସ ମଧ୍ୟରେ ସମସ୍ତ ଛୋଟ ଏବଂ ବଡ଼ ଚିଟ୍ ଫଣ୍ଡ ଜମାକାରୀ ସେମାନଙ୍କର ଜମା, ତାହା ୧୦,୦୦୦ ଟଙ୍କା ହେଉ କିମ୍ବା ୧୦ ଲକ୍ଷ ଟଙ୍କା ଫେରି ପାଇବେ । ସମସ୍ତ ଯୋଗ୍ୟ ଜମାକାରୀ ଟଙ୍କା ଫେରିପାଇବେ । ୪ ମାସ ମଧ୍ୟରେ ଆଉ ୫ ଲକ୍ଷ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ କରାଯିବ । ଏଥିପାଇଁ ତାଲିକା ପ୍ରସ୍ତୁତ ହୋଇ ସାରିଛି । ଏହା ପର୍ଯ୍ୟାୟ କ୍ରମରେ ଜାରି ରହିବ ବୋଲି ମନମୋହନ ଆଶ୍ୱସନା ଦେଇଛନ୍ତି ।
ବିରୋଧୀଙ୍କ ଉପରେ ଆରୋପ ଲଗାଇ ବିଜେପି ସଭାପତି କହିଛନ୍ତି ବିଜେଡ଼ି ପ୍ରାୟୋଜିତ ଚିଟ୍ ଫଣ୍ଡ ଦୁର୍ନୀତି ଯୋଗୁଁ ଜମାକାରୀମାନେ ଲୁଟର ଶିକାର ହୋଇଛନ୍ତି । ୧୫ ବର୍ଷ ମଧ୍ୟରେ ୧୭୪ଟି ଚିଟଫଣ୍ଡ ସଂସ୍ଥା ଲୋକଙ୍କ କଠିନ ପରିଶ୍ରମର ଟଙ୍କା ଠକି ନେଇଛନ୍ତି । ପ୍ରାୟୋଜିତ ଚିଟଫଣ୍ଡ କାରଣରୁ ଲକ୍ଷ ଲକ୍ଷ ଲୋକ ଅନିଶ୍ଚିତତା ଭିତରେ ଦିନ କାଟୁଥିଲେ । ସେତେବେଳେ ସରକାର ଉପରୁ ଓଡ଼ିଶା ଲୋକ ବିଶ୍ୱାସ ଉଠିଯାଇଥିଲା । ଏପରିକି ବିଜେଡ଼ି ଶାସନରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ, ବିଧାୟକ ମାନେ ଚିଟଫଣ୍ଡ କମ୍ପାନୀକୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସୁପ୍ରିମକୋର୍ଟକୁ କେସ ଗଲା ପରେ ପୂର୍ବ ସରକାର କର୍ପସ ଫଣ୍ଡ ତିଆରି କଲେ । କିନ୍ତୁ ବିଜେଡ଼ି ସରକାରର ନିୟତ ଠିକ୍ ନଥିବାରୁ କ୍ରୀୟନ୍ଵୟନ ହୋଇପାରିଲା ନାହିଁ । ପୂର୍ବ ସରକାର କମିଶନ ପରେ କମିଶନ ବସାଇଲେ । କିନ୍ତୁ ତଦନ୍ତ ରିପୋର୍ଟ ସାର୍ବଜନୀନ କରାଗଲା ନାହିଁ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ବୁଧବାର ରାଜ୍ୟ ସରକାର ଘୋଷଣା କରିଥିଲେ ଯେ ଖୁବଶୀଘ୍ର ଚିଟଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀମାନେ ସେମାନଙ୍କର ଟଙ୍କା ଫେରସ୍ତ ପାଇବେ । ଆଉ ୫ ଲକ୍ଷ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।
ନୂଆ ସରକାର ଆସିବା ପରେ ଗତ ଏକ ବର୍ଷ ମଧ୍ୟରେ ୧,୨୬,୧୩୭ ଜଣ କ୍ଷୁଦ୍ର ଜମାକାରୀଙ୍କୁ ୪୭.୦୭ କୋଟି ଟଙ୍କା ଫେରସ୍ତ କରିସାରିଛନ୍ତି । ଆସନ୍ତା ୩-୪ ମାସ ମଧ୍ୟରେ, ଆଉ ୫ ଲକ୍ଷ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିଗତ ସରକାରରେ ୨୦୧୪ରୁ ୨୦୨୪ ମସିହା, ଦୀର୍ଘ ୧୦ ବର୍ଷ, ମଧ୍ୟରେ କେବଳ ୨,୭୯,୧୦୯ ଜଣ କ୍ଷୁଦ୍ର ଜମାକାରୀଙ୍କୁ ମାତ୍ର ୧୧୯ କୋଟି ଟଙ୍କା ଫେରସ୍ତ କରାଯାଇଥିଲା।