ନୂଆଦିଲ୍ଲୀ: ଭାରତର ପରମ ମିତ୍ର କୁହାଯାଉଥିବା ରୁଷ ପାକିସ୍ତାନ ସହ ଏକ ବଡ ଚୁକ୍ତିନାମା କରିବାରେ ସଫଳ ହୋଇଛି । ଏହାରି ଆଧାରରେ ରୁଷ ଓ ସେଣ୍ଟ୍ରାଲ ଏସିଆ ପର୍ଯ୍ୟନ୍ତ ପାକିସ୍ତାନ ସହ ଟ୍ରେନ ଯୋଗାଯୋଗ ହେବ । ଏହା ବ୍ୟତୀତ ସଡକ ମାର୍ଗରେ ମଧ୍ୟ ପାକିସ୍ତାନଠୁ ନେଇ ରୁଷ ଓ କେନ୍ଦ୍ରୀୟ ଏସିଆ ପର୍ଯ୍ୟନ୍ତ ଗମନା ଗମନ କରାଯାଇ ପାରିବ । ଚୀନର ତିୟାନଜିନରେ ସାଂଘାଇ ସହଯୋଗ ସଂଗଠନ ପୂର୍ବରୁ ଆୟୋଜିତ ବୈଠକରେ ପାକିସ୍ତାନ ଦୂରସଞ୍ଚାର ମନ୍ତ୍ରୀ ଓ ରୁଷର ପରିବହନ ମନ୍ତ୍ରୀଙ୍କ ମଧ୍ୟରେ ଏହାକୁ ନେଇ ଚୁକ୍ତିନାମା ଉପରେ ସହମତି ପ୍ରକାଶ ପାଇଛି । ଦୁଇ ନେତା କହିଛନ୍ତି, ଏଥିରେ ରୁଷ ଓ ପାକିସ୍ତାନ ମଧ୍ୟରେ ଆର୍ଥିକ ଏବଂ ବ୍ୟବସାୟିକ ସହଯୋଗ ବଢିବ ।
ଏହି ଚୁକ୍ତିନାମାକୁ ପାକିସ୍ତାନ ନିଜର ବଡ ସଫଳତା ଭାବେ ପ୍ରଚାର କରୁଛି । ପାକିସ୍ତାନର କହିବା କଥା ଏହି ରାଜିନାମାରେ ଆମ ଦେଶ ଏକ ବଡ ଟ୍ରାଞ୍ଜିଟ ହବରେ ପରିଣତ ହେବ । ଏଥିରେ କାରବାର କରିଡର ଓ ମାଲ୍ ପରିବହନ ସହଜ ହେବ । ରୁଷ ଓ ସେଣ୍ଟ୍ରାଲ ଏସିଆ ପର୍ଯ୍ୟନ୍ତ ପହଞ୍ଚିବା ସହଜ ହେବ । ରୁଷର ମନ୍ତ୍ରୀ ଆନ୍ଦ୍ରେ ନିକିତିନ କହିଛନ୍ତି, ରୁଷ ଓ ପାକିସ୍ତାନର ସହଯୋଗରେ କ୍ଷେତ୍ରୀୟ ସମୀକରଣ ବଦଳିଯିବ । ରୁଷ ଚାହୁଁଛି ପାକିସ୍ତାନ ସହ ଯୋଗାଯୋଗ ବୃଦ୍ଧି ହେବା ସହ କାରବାରକୁ ପ୍ରୋତ୍ସାହନ ମିଳିବ ।
ରୁଷ ସହିତ ରାଜିନାମା ପାଇଁ ପାକିସ୍ତାନ ଲଗାତାର ଉଦ୍ୟମ କରି ଚାଲିଥିଲା । ଯେଉଁ ସମୟରେ ଭାରତ ରୁଷଠୁ ବ୍ୟାପକ ମାତ୍ରାରେ ତୈଳ ଆମଦାନୀ କରୁଥିଲା ସେହି ସମୟରେ ପାକିସ୍ତାନ ରୁଷ ସହ ଯୋଗାଯୋଗ ଆରମ୍ଭ କରିଥିଲା । କିନ୍ତୁ ସେହି ସମୟରେ ରୁଷ ପାକିସ୍ତାନକୁ ଶସ୍ତାରେ ତେଲ ଦେବାକୁ ମନା କରି ଦେଇଥିଲା । ସୂଚନାଯୋଗ୍ୟ ଭାରତ ମଧ୍ୟ ରୁଷ ଏକ ଚୁକ୍ତିନାମା କରିଛି । ଏହାରି ଆଦାରରେ ଇଣ୍ଟରନ୍ୟାସନାଲ ନର୍ଥ ସାଉଥ ଟ୍ରାନ୍ସପୋର୍ଟ କରିଡର ପ୍ରସ୍ତୁତ କରାଯାଉଛି । ଏହି କରିଡର ମାଧ୍ୟମରେ ଭାରତ ଓ ୟୁରୋପ ସହ ସିଧାସଳଖ ଯୋଗାଯୋଗ ହେବା ସହ କାରବାର ସୁଗମ ହେବ ।