ଏଜବାଷ୍ଟନ: ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନର ଖେଳ ବେଶ ରୋମାଞ୍ଚକର ଭରା ରହିଛି । ଦିନର ପ୍ରଥମ ସେସନ ଓ ଦ୍ୱିତୀୟ ସେନଓ ଇଂଲଣ୍ଡ ସପକ୍ଷରେ ରହିଥିବା ବେଳେ ଶେଷ ସେସନ ନିଜ ନାଁରେ କରି ପାରିଛି ଭାରତ । ପ୍ରଥମ ଇନିଂସରେ ଭାରତର ୫୮୭ ରନ ଜବାବରେ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ଜେମି ସ୍ମିଥ ଓ ହ୍ୟାରି ବ୍ରୁକଙ୍କ ଶତକ ବଳରେ ୪୦୭ ରନରେ ଅଲଆଉଟ୍ ହୋଇଛି । ଏହା ପରେ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ଗୋଟିଏ ୱିକେଟ୍ ହରାଇ ୬୪ ରନ କରିଛି । ପ୍ରଥମ ଇନିଂସ ଅଗ୍ରଣୀ ହିସାବରେ ଭାରତ ଇଂଲଣ୍ଡଠୁ ୨୪୪ ରନରେ ଆଗୁଆ ରହିଛି । କ୍ରିଜରେ କେଏଲ ରାହୁଲ ୨୮ ରନ ଓ କରୁଣ ନାୟର ୭ ରନ କରି ଅପରାଜିତ ଅଛନ୍ତି । ଜୟସ୍ୱାଲ ୨୨ ବଲରୁ ୨୮ ରନ କରି ଆଉଟ୍ ହୋଇଛନ୍ତି । ଇଂଲଣ୍ଡର ପ୍ରଥମ ଇନିଂସରେ ହ୍ୟାରି ବ୍ରୁକ ୧୫୮ ରନ ଓ ଜେମି ସ୍ମିଥ ୧୮୪ ରନର ଅପରାଜିତ ଇନିଂସ ଖେଳିବାରୁ ଇଂଲଣ୍ଡ ଫଲୋଅନ ଏଡାଇବା ସହ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରି ପାରିଛି ।
ଇଂଲଣ୍ଡ ଦ୍ୱିତୀୟ ଦିନର ଅସମାପ୍ତ ଖେଳ ୭୭/୩ରୁ ବ୍ୟାଟିଂ ଆରମ୍ଭ କରିଥିଲା । ତେବେ ପ୍ରଥମ ସେସନର ପ୍ରଥମ ଅଧ ଘଣ୍ଟାରେ ମହମ୍ମଦ ସିରାଜ ଲଗାତାର ଦୁଇଟି ବଲରେ ଜେୋ ରୁଟ୍(୨୨) ଓ ବେନ ଷ୍ଟୋକ୍ସ(୦)ଙ୍କୁ ଆଉଟ୍ କରି ହ୍ୟାଟ୍ରିକ ସୁଯୋଗ ସୃଷ୍ଟି କରିଥିଲେ । ୮୪ ରନରେ ୫ ୱିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା ଇଂଲଣ୍ଡ । ଦଳ ସମ୍ମୁଖରେ ଫଲୋଅନ ଏଡାଇବାର ଆଶଙ୍କା ଉପୁଜିଥିଲା । ହେଲେ ପ୍ରଥମ ସେସନର ପ୍ରଥମ ଅଧ ଘଣ୍ଟା ଭାରତ ନାଁରେ ରହିଥିଲେ ହେଁ ଇଂଲଣ୍ଡର ବ୍ୟାଟର ହ୍ୟାରି ବ୍ରୁକ ଓ ଜେମି ସ୍ମିଥ କାଉଣ୍ଟର ଆଟାକ୍ କରିଥିଲେ । ଉଭୟ ଏମିତି ବ୍ୟାଟିଂ କରିଥିଲେ ଲାଗୁଥିଲା ଟେଷ୍ଟ ନୁହେଁ ଟି-୨୦ ମ୍ୟାଚ୍ ଚାଲିଛ ।
ଜେମି ସ୍ମିଥ ୮୦ ବଲରେ ଇଂଲଣ୍ଡ ପକ୍ଷରୁ ଟେଷ୍ଟରେ ଦ୍ୱିତୀୟ ଦ୍ରୁତତମ ଶତକ ହାସଲ କରିଥିଲେ । ତାଙ୍କ ପରେ ହ୍ୟାରି ବ୍ରୁକ ମଧ୍ୟ ଦମଦାର ଶତକ ହାସଲ କରିଥିଲେ । ଦୁଇ ବ୍ୟାଟର ଭାରତୀୟ ବୋଲରଙ୍କୁ ନିର୍ଧୁମ ପ୍ରହାର କରି ଇଂଲଣ୍ଡର କେବଳ ଫଲୋଅନ ଏଡାଇ ନ ଥିଲେ ବରଂ ଦଳକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରାଇଥିଲେ । ଦୁଇ ବ୍ୟାଟର ଷଷ୍ଠ ୱିକେଟ୍ ଯୋଡିରେ ୩୦୩ ରନର ରେକର୍ଡ ଭାଗିଦାରୀ କରିଥିଲେ । ଦୁଇ ବ୍ୟାଟର ବ୍ୟାଟିଂ କରିବା ବେଳେ ଲାଗୁଥିଲା ଟେଷ୍ଟ ମ୍ୟାଚ୍ ନୁହେଁ ଏହା ଦିନିକିଆ କିମ୍ବା ଟି-୨୦ ମ୍ୟାଚ୍ ଚାଲିଛି । ତେବେ ହ୍ୟାରି ବ୍ରୁକଙ୍କୁ ଆଉଟ୍ କରି ଆକାଶ ଦୀପ ସିଂ ଏହି ଯୋଡି ଭାଙ୍ଗିବା ସହ ଭାରତକୁ ଆଶ୍ୱସ୍ତି ଦେଇଥିଲେ । ବ୍ରୁକ ୨୩୪ ବଲରୁ ୧୭ ଚୌକା ଓ ୧ ଛକା ସହ ୧୫୮ ରନର ବହୁତ ବଡ ଇନିଂସ ଖେଳିଥିଲେ ।
ବ୍ରୁକଙ୍କ ଆଉଟ୍ ହେବା ସହ ଇଂଲଣ୍ଡ ନିମ୍ନକ୍ରମରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ସିରାଜ ଓ ଆକାଶ ଦୀପ ମିଳିତ ଭାବେ ସମସ୍ତ ୱିକେଟ୍ ନେଇ ଭାରତକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିଥିଲେ । ଏକଦା ୩୮୭ ରନରେ ୫ ୱିକେଟ୍ ହରାଇ ମଜୁବତ ସ୍ଥିତିରେ ଥିବା ଇଂଲଣ୍ଡ ପରବର୍ତ୍ତୀ ୫ ୱିକେଟ୍ ମାତ୍ର ୨୦ ରନ ଭିତରେ ହରାଇଥିଲା । ଆଉ ଭାରତ ଶେଷ ସେସନରେ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା । ବ୍ରାଇଡନ କାର୍ସ, ଜୋଶ ଟଙ୍ଗ ଓ ଶୋଏବ ବସିର ଖତା ବି ଖୋଲି ପାରି ନଥିଲେ । ମୋଟା ଇଂଲଣ୍ଡର ୬ ବ୍ୟାଟର ଖାତା ଖୋଲି ପାରି ନ ଥିଲେ । ଜେମି ସ୍ମିଥ ୧୮୪ ରନ ସ୍ମରଣୀୟ ଇନିଂସ ଖେଳି ଅପରାଜିତ ଥିଲେ । ଇଂଲଣ୍ଡ ୪୦୭ ରନରେ ଅଲଆଉଟ୍ ହେବାରୁ ଭାରତ ୧୮୦ ରନର ଅଗ୍ରଣୀ ହାସଲ କରିଛି । ଭାରତ ପକ୍ଷରୁ ମହମ୍ମଦ ସିରାଜ ୭୦ ରନ ଦେଇ ୬ ୱିକେଟ୍ ନେଇଥିଲେ । ଆକାଶ ଦୀପ ୮୮ ରନ ଦେଇ ୪ ୱିକେଟ୍ ଅକ୍ତିକାର କରିଥିଲେ ।