ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଡ. ଏସ ଜୟଶଙ୍କର ଆମେରିକା ଦ୍ୱାରା ରୁଷଠୁ ତେଲ କିଣୁଥିବା ପ୍ରମୁଖ ଦେଶ ଉପରେ ୫୦୦ ପ୍ରତିଶତ ଟାରିଫ ଲଗାଇବା ଯୋଜନା ଉପରେ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଏହି ପ୍ରସଙ୍ଗରେ ଭାରତ ସେହି ସମୟରେ ଉଚିତ୍ ପଦକ୍ଷେପ ଉଠାଇବ ଯେବେ ଏହା ସାମ୍ନାକୁ ଆସିବ । ସ୍ଥିତିକୁ ଦେଖି ଭାରତ ଉଚିତ୍ ପଦକ୍ଷେପ ନେବ ।
ଜୟଶଙ୍କର ଆମେରିକାର ଚାରି ଦିନିଆ ଗସ୍ତରେ ଅଛନ୍ତି । ଏହି ସମୟରେ ସେ ସ୍ପଷ୍ଟ କରିଛନ୍ତି ଯେ, ରୁଷଠୁ ତେଲ କିଣୁଥିବା ପ୍ରମୁଖ ଦେଶମାନଙ୍କ ଉପରେ ଆମେରିକାର ୫୦୦ ପ୍ରତିଶତ ଶୁଳ୍କ ଲଗାଇବା ଯୋଜନା ଉପରେ ଭାରତ ଚିନ୍ତିତ । କାରଣ ଆମେରିକା ସଂସଦରେ ଏହାକୁ ନେଇ ଯେଉଁ ବିଧେୟକ ଆଗତ ହୋଇଛି ଏହା ଭାରତର ହିତରେ ନୁହେଁ ।
ଜୟଶଙ୍କର କହିଛନ୍ତି, ଭାରତ ସରକାର ଓ ଭାରତୀୟ ଦୂତାବାସ ଆମେରିକାର ରିପବ୍ଲିକନ ସାଂସଦ ଲିଣ୍ଡସେ ଗ୍ରାହାମଙ୍କ ଯୋଗାଯୋଗରେ ଅଛନ୍ତି । ଗ୍ରାହାମ ହେଉଛନ୍ତି ସେହି ସାଂସଦ ଯିଏ ଏହି କଠୋର ବିଧେୟକ ଗୃହରେ ଉପସ୍ଥାପନ କରିଛନ୍ତି । ବିଧେୟକ ଉପସ୍ଥାପନ ସମୟରେ ସେ ବିଶେଷ କରି ଭାରତ ଓ ଚୀନର ନାମ ନେଇ କହିଛନ୍ତି ଯେ, ଏହି ଦେଶ ମିଶି କି ପୁଟିନଙ୍କଠୁ ୭୦ ପ୍ରତିଶତ ତୈଳ କିଣୁଛନ୍ତି ।
ଜୟଶଙ୍କର କହିଛନ୍ତି, ମୋତେ ଲାଗୁଛି ଆମେ ନିଜର ଉର୍ଜା ସୁରକ୍ଷା ସଂପର୍କିତ ଚିନ୍ତା ଓ ହିତକୁ ଗ୍ରାହାମଙ୍କ ସହ ସ୍ପଷ୍ଟ ଆଲୋଚନା କରିଛୁ । ଏବେ ଏହା ଦେଖିବାକୁ ପଡିବ ଯେ, ଏହି ବିଲ୍ କେତେ ଆଗକୁ ବଢୁଛି । ଯେବେ ସମୟ ଆସିବ ଆମେ ଉଚିତ୍ ପଦକ୍ଷେପ ନେବୁ । ଅନ୍ୟପଟେ ଏହି ବିଧେୟକକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମର୍ଥନ କରିଛନ୍ତି । ଏହି ବିଧେୟକରେ ଉଲ୍ଲେଖ ରହିଛି ଯେ, ରୁଷଠୁ ତୈଳ କିଣୁଥିବା ଦେଶ ଉପରେ ୫୦୦ ପ୍ରତିଶତ ଶୁଳ୍କ ଲଗାଯାଉ । ବିଶେଷଜ୍ଞଙ୍କ କହିବା କଥା ଆମେରିକା ଏହି ପଦକ୍ଷେପ ଏଥିପାଇଁ ଉଠାଇବାକୁ ଯୋଜନା କରୁଛି, କାରଣ ରୁଷ-ୟୁକ୍ରେନ ଯୁଦ୍ଧରେ କେମିତି ରୁଷ ଉପରେ ଚାପ ପକାଯାଇ ଅସ୍ତ୍ରବିରତି ଲାଗୁ କରାଯାଇ ପାରିବ