ନୂଆଦିଲ୍ଲୀ: ଗତ ମାସ ଲଢେଇରେ ଧ୍ୱଂସ ହୋଇ ଯାଇଥିବା ନିଜର ଆଣବିକ ଘାଟିର ମରାମତି କାମ ଆରମ୍ଭ କରି ଦେଇଛି ଇରାନ । ନିକଟରେ ସାମ୍ନାକୁ ଆସିଥିବା ଉପଗ୍ରହ ଚିତ୍ରରୁ ଏହାର ଖୁଲାସା ହୋଇଛି । ଫଟୋରୁ ଜଣା ପଡିଛି ଯେ, ଇରାନ ଆମେରିକାର ବୋମାମାଡର ଶିକାର ଫୋର୍ଦୋ ପରମାଣୁ ପ୍ଲାଣ୍ଟର ମରାମତି କାମ ଦ୍ରୁତ ଗତିରେ ଆରମ୍ଭ କରି ଦେଇଛି । ଉଲ୍ଲେଖନୀୟ ଆମେରିକା ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଲଢେଇରେ ହସ୍ତକ୍ଷେପ କରି ଇରାନର ଅନେକ ପରମାଣୁ ଘାଟି ଉପରେ ବୋମାବର୍ଷଣ କରିଥିଲା ।
ଇରାନ ଇଣ୍ଟରନ୍ୟାସନାଲ ନିଜର ଏକ ରିପୋର୍ଟରେ ମ୍ୟାକ୍ସାର ଟେକ୍ନୋଲୋଜିର ଏକ ଫଟୋ ଦେଖାଇ କହିଛି ଯେ, ଫୋର୍ଦୋ ପ୍ଲାଣ୍ଟ ପର୍ଯ୍ୟନ୍ତ ଯିବା ପାଇଁ ନୂତନ ସଡକ ନିର୍ମାଣ କରାଯାଉଛି । ଏହା ବ୍ୟତୀତ ଏଠାରେ କିଛି ଉପକରଣ ନିୟୋଜିତ କରାଯାଉଛି । ଉପଗ୍ରହରୁ ନିଆଯାଇଥିବା ଛବିରୁ ଦେଖିବାକୁ ମିଳିଛି ଯେ, ଇରାନ କିଭଳି ଭାବେ ନିଜର ପ୍ରମୁଖ ପରମାଣୁ ଘାଟିର କ୍ଷତି ଭରିବା ପାଇଁ ଦିନ ରାତି କାମ କରୁଛି ।
ଏହି ସବୁ ଫଟୋରେ ନୂତନ ଭାବେ ନିର୍ମିତ ସଡକ ବ୍ୟତୀତ ନିର୍ମାଣ ପାଇଁ ବ୍ୟବହୃତ ହେଉଥିବା ଗାଡି ଓ ମୋବାଇଲ କ୍ରେନ ମଧ୍ୟ ଦେଖିବାକୁ ମିଳିଛି । ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟରେ ଅନ୍ତର୍ଜାତୀୟ ସୁରକ୍ଷା ସଂସ୍ଥାର ଏକ ବିଶ୍ଳେଷଣରୁ କୁହାଯାଇଛି ଯେ, ଇରାନ ସମ୍ଭବତଃ ନିଜର ଅଣ୍ଡରଗ୍ରାଉଣ୍ଡ ପ୍ଲାଣ୍ଟର ହୋଇଥିବା କ୍ଷତିର ନିରୀକ୍ଷଣ କରିବାକୁ ଏହି ପଦକ୍ଷେପ ନେଇଛି ।
ଏହି ସବୁ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର କହିଛନ୍ତି ଯେ, ସେ ଇରାନ ବିରୋଧରେ ଆରମ୍ଭ ହୋଇଥିବା ଯୁଦ୍ଧରେ ମିଳିଥିବା ସଫଳତାର ଉତ୍ସବ ମନାଇବେ । ଟ୍ରମ୍ପ କହିଛନ୍ତି, ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ସହିତ ଏହାର ଖୁସି ସେ ପାଳନ କରିବେ । ନେତନ୍ୟାହୁ ଚଳିତ ସପ୍ତାହରେ ଟ୍ରମ୍ପଙ୍କୁ ଦେଖା କରିବା ପାଇଁ ଆମେରିକା ଆସୁଛନ୍ତି ।