ଥାଇଲାଣ୍ଡ ସରକାରଙ୍କୁ ବଡ଼ ଝଟକା ଲାଗିଛି। ଥାଇଲାଣ୍ଡର ସାମ୍ବିଧାନିକ ଅଦାଲତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ପାଏଟୋଙ୍ଗଟାର୍ନ ଶିନାଓ୍ବାତ୍ରାଙ୍କୁ ନିଲମ୍ବନ କରିଛନ୍ତି। ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଏହି ନିର୍ଦେଶନାମା କାଏମ ରହିବ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। ସାମ୍ବିଧାନିକ ଅଦାଲତ ୭-୨ ଭୋଟରେ ଏଭଳି କଟକଣା ଜାରି କରିଛନ୍ତି।
କିଛି ଦିନ ପୂର୍ବେ ସୀମା ବିବାଦକୁ ନେଇ କାମ୍ବୋଡିଆ ପ୍ରତିପକ୍ଷଙ୍କ ସହ ସିନାୱାତ୍ରା ଫୋନରେ ଗୁପ୍ତ ଆଲୋଚନା କରିଥିଲେ। ଏହା ପ୍ରଘଟ ହେବାପରେ ଏକାଧିକ ସିନେଟର ତାଙ୍କ ବିରୋଧରେ ମାମଲା ଦାଏର କରିଥିଲେ। ସିନାୱାତ୍ରା ୨୦୨୪ ଅଗଷ୍ଟ ୧୬ରେ ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥିଲେ। ଦଶନ୍ଧି ଦଶନ୍ଧି ଧରି ଥାଇଲାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ସୀମା ବିବାଦ ରହିଛି। ଗତ ମେ'ରେ ସୀମା ଜଡ଼ିତ ଏକ ଫୋନ୍ କଲ୍ ରେକର୍ଡିଂ ଲିକ୍ ହେବାକୁ ନେଇ ସଦ୍ୟ ଘଟଣା ଘଟିଛିI ମେ' ୨୮ରେ ସୀମା ନିକଟରେ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ କାମ୍ବୋଡିଆର ଜଣେ ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା । ଏହା ବିରୋଧରେ କାମୋଡିଆ ଥାଇଲାଣ୍ଡ ଉପରେ କେତେକ କଟକଣା ଲଗାଇଥିଲା ।
ନିକଟରେ ଥାଇଲାଣ୍ଡରେ ୧୭ ମିନିଟ୍ ର ଏକ ଫୋନ୍ କଲ୍ ରେକର୍ଡିଂ ପ୍ରଘଟ ହୋଇଥିଲା। ଏଥିରେ ଶିନାୱତ୍ରା କାମ୍ବୋଡିଆ ନେତା ହୁନ୍ ସେନଙ୍କ ମଧ୍ୟରେ କଥାବାର୍ତ୍ତା ଶୁଣିବାକୁ ମିଳିଛି। ଏଥିରେ ଶିନାୱତ୍ରା ହୁନ୍ ସେନଙ୍କୁ ‘ଅଙ୍କଲ’ କହି ସମ୍ବୋଧନ କରିବା ସହ ବେଶ୍ ସମ୍ମାନ ଦେଉଛନ୍ତି।
ଶିନାୱତ୍ରାଙ୍କ ଏହି ଅଡିଓ ଲିକ୍ ହେବା ପରେ ସାରା ଦେଶରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଥିଲା । ପରେ କୋର୍ଟ ବହୁମତରେ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ପଦରୁ ନିଲମ୍ବନ କରିଛନ୍ତି। ତଦନ୍ତରେ ସେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ସ୍ଥାୟୀ ଭାବେ ପଦରୁ ହଟଯାଇପାରିବ । ତଦନ୍ତ ପୂରା ହେବା ପର୍ଯ୍ୟନ୍ତ ଉପପ୍ରଧାନମନ୍ତ୍ରୀ ଫୁମ୍ଥମ ବେଚାଯାଚାଇ ସରକାର ଚଢାଇବେ। ଫୋନ୍ କଲ୍ ସାମ୍ନାକୁ ଆସିବା ପରେ ସରକାରଙ୍କ ଉପରେ ମଧ୍ୟ ଚାପ ପଡ଼ିଛି। । ଏକ ବଡ଼ ଦଳ ମଧ୍ୟ ମେଣ୍ଟରୁ ଓହରିଯାଇଛି। ଫଳରେ ମେଣ୍ଟ ଦୁର୍ବଳ ହୋଇପଡ଼ିଛି । ଘଟଣା ପରେ ଶିନାୱାତ୍ରା କ୍ଷମା ମାଗିଛନ୍ତି । କେବଳ ବିବାଦ ଦୂର କରିବା ଲାଗି ସେ ଏଭଳି କହିଥିଲେ । ସେ କୋର୍ଟ ପ୍ରକ୍ରିୟାକୁ ସମ୍ମାନ କରି ତଦନ୍ତରେ ପୂର୍ଣ ସହଯୋଗ କରିବେ ବୋଲି କହିଛନ୍ତି।