ବର୍ମିଂହାମ: ବର୍ମିଂହାମର ଏଜବାଷ୍ଟନରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଚମକିଛନ୍ତି ଭାରତୀୟ ଅଧିନାୟକ ଶୁଭମନ ଗିଲ୍ । ତାଙ୍କର ଅପରାଜିତ ଶତକ ବଳରେ ଭାରତ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୫ ୱିକେଟ୍ ହରାଇ ୩୧୦ ରନ କରିଛି। ଗିଲ୍ ୧୧୪ ରନ ଓ ରବୀନ୍ଦ୍ର ଜାଡେଜା ୪୧ ରନ କରି ଅପରାଜିତ ଅଛନ୍ତି । ପ୍ରଥମ ଦିନରେ ଯଶସ୍ୱୀ ଜୟସ୍ୱାଲ ମଧ୍ୟ ୮୭ ରନର ଦମଦାର ଇନିଂସ ଖେଳିଛନ୍ତି । ଏହା ପୂର୍ବରୁ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ଭାରତ ଆଜି ୩ ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇଛି । ତେବେ ଗିଲ୍ ଓ ଜାଡେଜା ପ୍ରଥମ ଦିନରେ ଭାରତ ସମ୍ମାନ ରଖିଛନ୍ତି ।
ଟସ୍ ହାରି ପ୍ରଥମ ଇନିଂସ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ନିରାଶଜନକ ଥିଲା । ଇନଫର୍ମ ବ୍ୟାଟର କେଏଲ ରାହୁଲ ୨ ରନ କରି ଆଉଟ୍ ହୋଇଥିଲେ । ଏହା ପରେ ଜୟସ୍ୱାଲ ଓ ତିନି ନମ୍ବର କ୍ରମରେ ବ୍ୟାଟିଂ କରିବାର ସୁଯୋଗ ପାଇଥିବା କରୁଣ ନାୟର ଦମଦାର ବ୍ୟାଟିଂ କରି ଦଳର ଇନିଂସକୁ ଆଗକୁ ବଢାଇଥିଲେ । ତେବେ ବ୍ରାଇଡନ କାର୍ସଙ୍କ ଏକ ବାଉନ୍ସ ବଲକୁ ବୁଝି ନ ପାରି ସ୍ଲିପରେ କ୍ୟାଚ୍ ଆଉଟ୍ ହୋଇଥିଲେ ନାୟର । ସେ ୩୧ ରନ କରି ପାଭିଲିିୟନ ଫେରିଥିଲେ । ଏହା ପୂର୍ବରୁ ସେ ଏବଂ ଜୟସ୍ୱାଲ ଦ୍ୱିତୀୟ ୱିକେଟ୍ ପାଇଁ ୮୦ ରନ ଯୋଡି ଦଳର ସ୍ଥିତି ମଜବୁତ କରିଥିଲେ ।
୯୫ ରନ ସ୍କୋରରେ ଦୁଇ ୱିକେଟ୍ ହରାଇବା ପରେ ଭାରତର ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିଥିଲେ ଜୟସ୍ୱାଲ ଓ ଅଧିନାୟକ ଶୁଭମନ ଗିଲ୍ । ଦୁହେଁ ନିଜ ନିଜର ଚିରାଚରିତ ଶୈଳୀରେ ବ୍ୟାଟିଂ କରି ତୃତୀୟ ୱିକେଟ୍ ଭାଗିଦାରୀରେ ୬୬ ରନ ଯୋଡିଥିଲେ । ଜୟସ୍ୱାଲ ଅର୍ଦ୍ଧଶତକ ହାସଲ କରି ଶତକ ଅଭିମୁଖେ ଅଗ୍ରସର ହେଉଥିଲେ । ତେବେ ୧୦୭ ବଲରୁ ୧୩ ଚୌକା ସହ ୮୭ ରନ କରି ଆଉଟ୍ ହୋଇଥିଲେ । ଏହା ପରେ ଋଷଭ ପନ୍ତ ୨୫ ରନ କରି ଆଉଟ୍ ହୋଇଥିଲେ । ଶାର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ ଦଳରେ ସ୍ଥାନ ପାଇଥିବା ନୀତିଶ କୁମାର ରେଡ୍ଡୀ ଏକ ରନ କରି ନିରାଶ କରିଥିଲେ । ଅନ୍ୟପଟେ କ୍ରିଜରେ ଜମି ରହିଥିଲେ ଅଧିନାୟକ ଶୁଭମନ ଗିଲ୍ ।
୨୧୧ ରନରେ ୫ ୱିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ପଡିଥିବା ଭାରତୀୟ ଇନିଂସକୁ ଆଗକୁ ବଢାଇଥିଲେ ଗିଲ୍ ଓ ଜାଡେଜା । ଉଭୟ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳକୁ ପ୍ରଥମ ଦିନରେ ଆଉ କୌଣସି କ୍ଷତି ହେବାକୁ ଦେଇ ନ ଥିଲେ । ଗିଲ୍ କ୍ରମାଗତ ଦ୍ୱିତୀୟ ଟେଷ୍ଟରେ ଶତକ ହାସଲ କରି ଅଧିନାୟକତ୍ୱ ଇନିଂସ ଖେଳିଛନ୍ତି । ଏହା ତାଙ୍କ ଟେଷ୍ଟ କ୍ୟାରିୟରର ସପ୍ତମ ଶତକ । ଦିନର ଖେଳ ଶେଷ ସୁଦ୍ଧା ଭାରତ ୫ ୱିକେଟ୍ ହରାଇ ୩୧୦ ରନ କରିଛି । ଦୁଇ ବ୍ୟାଟର ଅବିଭାଜିତ ଷଷ୍ଠ ୱିକେଟରେ ୯୯ ରନ ଯୋଡି ସାରିଛନ୍ତି । ଗିଲ୍ ୧୧୪ ରନ ଓ ଜାଡେଜା ୪୧ ରନ କରି ଅପରାଜିତ ଅଛନ୍ତି ।