ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମସ୍ୟା ଆହୁରି ବଢିଛି। ଅଦାଲତ ଅବମାନନା ମାମଲାରେ କୋର୍ଟ ଏବେ ତାଙ୍କୁ ୬ ମାସର ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ବୁଧବାର ତିନି ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି।
‘ଢାକା ଟ୍ରିବ୍ୟୁନ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଜଷ୍ଟିସ ମହମ୍ମଦ ଗୁଲାମ ମୁର୍ତାଜା ମଜୁମଦାର ଶେଖ ହାସିନାଙ୍କ ମାମଲାର ଶୁଣାଣି କରିଥିଲେ। ରିପୋର୍ଟ ଅନୁଯାୟୀ, ଗତ ବର୍ଷ ଶେଖ ହାସିନାଙ୍କ ଏକ ଅଡିଓ କ୍ଲିପ ଲିକ ହୋଇଥିଲା। ଲିକ ହୋଇଥିବା ଅଡିଓ କ୍ଲିପରେ ଶେଖ ହାସିନା ଗୋବିନ୍ଦଗଞ୍ଜ ଉପଜିଲା ଅଧ୍ୟକ୍ଷ ଶକିଲ ବୁଲବୁଲଙ୍କ ସହ କଥା ହେଉଥିବା ଅଭିଯୋଗ ହୋଇଛି, ଯେଉଁଥିରେ ସେ କହିଥିଲେ, ‘ମୋ ବିରୁଦ୍ଧରେ ୨୨୭ଟି ମାମଲା ରୁଜୁ ହୋଇଛି, ତେଣୁ ମୁଁ ଏହି ଲୋକମାନଙ୍କୁ ହତ୍ୟା କରିବାକୁ ଲାଇସେନ୍ସ ପାଇଛି।’
କୋର୍ଟ ଅବମାନନା ମାମଲାରେ ଶକିଲ ବୁଲବୁଲଙ୍କୁ ଦୁଇ ମାସ ଜେଲ ଦଣ୍ଡ ଦିଆଯାଇଛି। ବୁଲବୁଲ ଢାକାର ଜଣେ ରାଜନୈତିକ ବ୍ୟକ୍ତିତ୍ୱ ଏବଂ ଆୱାମୀ ଲିଗର ଛାତ୍ର ଶାଖା ବାଂଲାଦେଶ ଛାତ୍ର ଲିଗ (BCL) ସହିତ ଜଡିତ। ବାଂଲାଦେଶରେ ଛାତ୍ର ଭେଦଭାବ ବିରୁଦ୍ଧରେ ଷ୍ଟୁଡେଣ୍ଟ ଏଗେନଷ୍ଟ ଡିସ୍କ୍ରିମିନେଶନ (SAD) ଦ୍ୱାରା ହୋଇଥିବା ହିଂସାତ୍ମକ ପ୍ରତିବାଦ ପରେ ଶେଖ ହାସିନାଙ୍କୁ ଅଗଷ୍ଟ ୨୦୨୪ରେ ପଦରୁ ହଟାଇ ଦିଆଯାଇଥିଲା। ସରକାରୀ ଚାକିରିରେ କୋଟା ସଂସ୍କାର ଦାବି ସହିତ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା, କିନ୍ତୁ ଏହା ବହୁତ ହିଂସାତ୍ମକ ରୂପ ନେଇଥିଲା। ଏହି ଆନ୍ଦୋଳନରେ ୧୪ ଶହ ଲୋକଙ୍କର ମୃତ୍ୟୁ ହୋଇଥିବା ବିଦେଶୀ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।
ସେପଟେ ଦେଶରେ ଏଭଳି ହିଂସକ ପ୍ରଦର୍ଶନ ଚାଲିଥିବା ବେଳେ ଶେଖ୍ ହସିନା ଦେଶ ଛାଡି ଭାରତ ପଳାଇଆସିଥିଲେ । ଶେଖ ହସିନା ଦେଶ ଛାଡିବାର ୩ ଦିନ ପରେ ମହମ୍ମଦ ହମ୍ମଦ ୟୁନୁସ ବାଂଲାଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ।