ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିବ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବର୍ତ୍ତମାନ ଦକ୍ଷିଣ ଛତିଶଗଡ଼ ଓ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ଅବସ୍ଥାରେ ରହିଛି। ଏହା ବର୍ତ୍ତମାନ ଦକ୍ଷିଣ ଦିଗ ଆଡ଼କୁ ଗତି କରୁଛି। ଯାହା ଫଳରେ ଆସନ୍ତା ୫ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯଦିଓ ୩ ଓ ୪ ତାରିଖ ବର୍ଷାର ପରିମାଣ ସାମାନ୍ୟ କମିବ, ମାତ୍ର ୫ ତାରିଖରୁ ପୁଣି ଥରେ ବର୍ଷାର ପ୍ରଭାବ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି। ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ବିଶେଷକରି ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଆସନ୍ତା ୪ ତାରିଖ ବେଳକୁ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହା ପ୍ରଭାବରେ ବର୍ଷାର ପ୍ରଭାବ ବଢ଼ିପାରେ। ଗୁରୁବାର ସୋନପୁର, ବଲାଙ୍ଗୀର, ବୌଦ୍ଧ, ବରଗଡ଼ ଓ ନୂଆପଡ଼ା ଜିଲ୍ଲାକୁ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଶୁକ୍ରବାର ମଧ୍ୟ ବରଗଡ଼, ବଲାଙ୍ଗୀର ଓ ସୋନପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
୬ ତାରିଖରେ ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହୋଇପାରେ । ୭ରେ ଅନେକ ଜାଗାରେ ବର୍ଷା ସମ୍ଭାବନା ଥିବାବେଳେ ଝାରସୁଗୁଡ଼ା ଓ ବରଗଡ଼ରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ଏହାସହ ୮ରେ ବର୍ଷା ପରିମାଣ କମିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ କୁହାଯାଇଛି ।