ପୁରୀ: ଗଜପତି ମହାରାଜ ଦିବ୍ୟସିଂହ ଦେବ ଗୁରୁବାର ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଗଜପତି ମହାରାଜ ସୂଚନା ଦେଇଛନ୍ତି ।
ଗଜପତି ମହାରାଜ ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ତନଖି ଦେଖିଛନ୍ତି । ଭିତର ରତ୍ନଭଣ୍ଡାର ଏବଂ ବାହାର ରତ୍ନଭଣ୍ଡାର ମରାମତି ବିଷୟରେ ବୈଷୟିକ କମିଟି ସହିତ ଆଲୋଚନା କରିଛନ୍ତି । ସବୁକିଛି ଭଲ ଭାବେ ଅନୁଧ୍ୟାନ କଲାପରେ ଗଜପତି ସନ୍ତୋଷ ପ୍ରକାଶ କରିଛନ୍ତି । ମହାପ୍ରଭୁଙ୍କ କୃପାରୁ ଐତିହାସିକ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ପୂର୍ଣ୍ଣ ହେବାକୁ ଯାଉଛି ବୋଲି କହିଛନ୍ତି ଗଜପତି । ଏହା ପରେ ରତ୍ନଭଣ୍ଡାର ପୁନରୁଦ୍ଧାର କାମ ଆରମ୍ଭ ହେବ । ନିଳାଦ୍ରୀ ବିଜେ ସୁଦ୍ଧା ମରାମତି କାର୍ଯ୍ୟ ଶେଷ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି । ପ୍ରାୟ 600 ପଥର ସ୍ଥାନାନ୍ତର କରାଯାଇଛି । ସେହିପରି ରତ୍ନ ଅଳଙ୍କାର ଗଣତି ଉପରେ ଗଜପତି ମହାରାଜା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ପରେ ଗଣତିମଣତି ଆରମ୍ଭ ହେବ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଏବଂ କମିଟିର ପରାମର୍ଶ କ୍ରମେ ଗଣତି କାର୍ଯ୍ୟ ଖୁବଶୀଘ୍ର କରାଯିବ ବୋଲି ଗଜପତି କହିଛନ୍ତି । ମହାରାଜଙ୍କ ସହିତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ନୀତି ପ୍ରଶାସକ, ବୈଷୟିକ କମିଟି ସଦସ୍ୟ ଏବଂ ଏଏସ୍ଆଇ ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ମଧ୍ୟ ସମାନ ପ୍ରତିକ୍ରିୟା ରଖିଛନ୍ତି । ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ସଂରକ୍ଷଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି । ଭିତର ଭଣ୍ଡାରର ଚଟାଣ କାମ ଶେଷ ହୋଇଥିବାବେଳେ ଫିନିସିଂ କରାଯାଉଛି । ପ୍ରାୟ 9ଟି ଷ୍ଟିଲ୍ ବିମ୍ ଲାଗିଛି । ବାହାର ଭଣ୍ଡାର ପଥର ବଦଳା କାମ ବାକି ଥିବାବେଳେ ତାହା ଦୁଇ ଦିନ ମଧ୍ୟରେ ସମାପ୍ତ ହେବାର ସମ୍ଭାବନା ରହିଛି । ଅନ୍ୟାନ୍ୟ କାମ ଯେପରି ଗର୍ଭଗୃହ ମରାମତି, ଦ୍ୱାରଗୁଡ଼ିକର ରୂପା ଛାଉଣୀ ଏବଂ ଚିତ୍ର ଆଦି ଜାରି ରହିଛି । ସେଗୁଡିକ ମଧ୍ୟ ନିଳାଦ୍ରୀ ବିଜେ ଶେଷ ହେବ ବୋଲି ଆଶା କରାଯାଉଥିବା ମୁଖ୍ୟ ପ୍ରଶାସକ କହିଛନ୍ତି ।
ରତ୍ନଭଣ୍ଡାର ମରାମତି କାମ ମାର୍ଚ୍ଚ ଶେଷ ଆଡ଼କୁ ସମାପ୍ତ ହେବାର ଥିଲା । ମାତ୍ର ମହାପ୍ରଭୁ ବିଭିନ୍ନ ନୀତିକାନ୍ତି ପାଇଁ ମରାମତି କାର୍ଯ୍ୟ ବାରମ୍ବାର ସ୍ଥଗିତ ରହିଥିଲା । ଫଳରେ ନିର୍ଦ୍ଦାରିତ ସମୟରେ ମରାମତି ପୂର୍ଣ୍ଣ ହୋଇ ପାରିନଥିଲା । ସେହିପରି ରଥଯାତ୍ରା ପାଇଁ ମଧ୍ୟ କାମ ସ୍ଥଗିତ ରହିଥିବା । ଗୁଣ୍ଡିଚା ମନ୍ଦିର ନିକଟରେ ତିନି ରଥ ଲାଗିବା ପରେ ପୁନର୍ବାର ମରାମତି କାମ ଆରମ୍ଭ ହୋଇଥିଲା ।