ମାଲକାନଗିରି: ଜଣେ କାର୍ଯ୍ୟରତ ଓଏଏସ୍ ଅଧିକାରୀଙ୍କ ମାଡ଼ ମାରିବା ଘଟଣା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି । ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ଗିରଫ ଦାବିରେ ଅଟଳ ଓଏଏସ୍ ସଂଘ । ସମ୍ପୂର୍ଣ୍ଣ ସରକାରୀ କଳ ଏବେ ଏକପ୍ରକାର ଅଚଳ ହୋଇପଡ଼ିଛି । ସେପଟେ ଜଣେ କାର୍ଯ୍ୟରତ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାରର ଖବର ଆସିଛି । ମାଲକାନଗିରି ଆଇଆଇସିଙ୍କୁ ଦୁର୍ବ୍ୟବହାର କରିବା ନେଇ କଂଗ୍ରେସ ନେତା କଂଗ୍ରେସ ନେତା ମାନସ ଚୌଧୁରୀଙ୍କ ସମେତ ୨୬ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି ।
ମାଲକାନଗିରି ଥାନା ଆଇଆଇସିଙ୍କୁ ଜବରଦସ୍ତ ମାଳ ପିନ୍ଧାଇବାକୁ ଚେଷ୍ଟା କରିବା ଅଭିଯୋଗରେ ମାନସ ଚୌଧୁରୀଙ୍କ ନାଁରେ ଆଟ୍ରୋସିଟି ଦଫାରେ ମାମଲା ରୁଜୁ ହୋଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ମାସ ୨୧ ତାରିଖରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା । ଏଥିରେ ୭ ଜଣ ଗୁରୁତର ଏବଂ ୩୦ ଜଣ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକ ମଧ୍ୟ ରହିଥିଲେ । ଅଭିଯୁକ୍ତକୁ ଗିରଫ ଦାବିରେ ଗତକାଲି ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକେ ଆନ୍ଦୋଳନ କରିଥିଲେ, ଯାହାର ନେତୃତ୍ୱ ନେଇଥିଲେ ମାନସ ଚୌଧୁରୀ । ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିବାକୁ ଯାଇଥିବାବେଳେ ଜିଲ୍ଲାପାଳ ଆସିନଥିଲେ । ଏହା ପରେ ସେଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । କାର୍ଯ୍ୟରତ ଆଇଆଇସି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଥିବାବେଳେ ମାନସ ଚୌଧୁରୀଙ୍କ ସମେତ କିଛି ନେତା ଦୁର୍ବ୍ୟବହାର କରିଥିଲେ । ଆଇଆଇସିଙ୍କୁ ଜବରଧସ୍ତି ଫୁଲମାଳ ପକାଇବାକୁ ଚେଷ୍ଟା କରିଥିଲେ । ଯେଉଁଥିପାଇଁ ଆଜି ସମସ୍ତଙ୍କ ନାଁରେ ମାମଲା ରୁଜୁ ହୋଇଛି ।