ଭୁବନେଶ୍ୱର: ରାତି ଅଧରେ ହଠାତ୍ ସରଗରମ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର ରାଜନୀତି ମାହୋଲ । ଶେଷରେ ଓଏଏସ୍ ଏବଂ ଓଆରଏସ ସଂଘର ଜିଦ ଆଗରେ ମୁଣ୍ଡ ନୁଆଁଇଛନ୍ତି ଜଗନ୍ନାଥ ପ୍ରଧାନ । ଭୁବନେଶ୍ୱର ମହାନଗର ନିଗମ ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଗିରଫ ହୋଇଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । ତେବେ ଏହି ମାମଲାରେ ଗିରଫଙ୍କ ସଂଖ୍ୟା ୬ରେ ପହଁଚିଛି । ପୂର୍ବରୁ ମାମଲାରେ ୫ ଜଣ ଗିରଫ ହୋଇଥିଲେ । ଅନ୍ୟପକ୍ଷେ ଓଏଏସ୍ ସଂଘ ଆନ୍ଦୋଳନରୁ ଓହରିଛି ।
ଅନେକ ତୁମ୍ବି ତୋଫାନ ପରେ ଜଗନ୍ନାଥ ପ୍ରଧାନ ଗୁରୁବାର ରାତି ୯ଟା ୪୦ ପାଖାପାଖି ଡିସିପି କାର୍ଯ୍ୟାଳୟରେ ପହଁଚିଥିଲେ । ସ୍ୱତଃପ୍ରତଃ ଭାବେ ସେ ଥାନାରେ ପହଁଚି ଆତ୍ମ ସମର୍ପଣ କରିବା ପରେ ପୋଲିସ ଗିରଫ କରିଛି । ପୋଲିସ ଗରିଫ କରିବା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା । ନିୟମ ଅନୁସାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କୁ ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ ନିକଟରେ ହାଜର କରାଯାଇଛି । ଡିସିପି ସୂଚନା ଦେଇ କହିଛନ୍ତି ଯେ ଏଫ୍ଆଇଆର ଓ ପୀଡ଼ିତଙ୍କ ବୟାନ ଆଧାରରେ ଗିରଫ କରାଯାଇଛି । ପ୍ରାଥମିକ ପ୍ରମାଣ ଆଧାରରେ ଗିରଫ କରାଯାଇଛି । କୋର୍ଟ ଜଗନ୍ନାଥଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଏ ନେଇ ତାଙ୍କ ଓକିଲ ଅନୀଲ କୁମାର ଶତପଥି ।
ଜଗନ୍ନାଥ ପ୍ରଧାନ କହିଛନ୍ତି, ବିଏମ୍ସି ଅତିରିକ୍ତ କମିସନରଙ୍କୁ ଆକ୍ରମଣ ଘଟଣାକୁ ମୁଁ ସବୁବେଳେ ନିନ୍ଦା କରିଆସୁଛି । ଏହି ଆକ୍ରମଣ ଘଟଣାରେ ମୋର କୌଣସି ସଂପୃକ୍ତି ନାହିଁ । ଓଏଏସ୍ ସଂଘ ମୋର ଗିରଫ ଦାବି ନେଇ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ଆନ୍ଦୋଳନ ଯୋଗୁଁ ଜନସାଧାରଣ ପ୍ରଭାବିତ ହୋଇପାରନ୍ତି। ରଥଯାତ୍ରା ଓ ବନ୍ୟା ସମୟରେ ପ୍ରଶାସନିକ ବ୍ୟବସ୍ଥା ପ୍ରଭାବିତ ହୋଇପାରେ। ମୋହନ ଚରଣ ମାଝୀ ସରକାର ବଦନାମ ନହୁଅନ୍ତୁ ଏହା ମୁଁ ଚାହେଁ। କିନ୍ତୁ ସରକାରଙ୍କ ସମ୍ମାନ, ବୃହତ୍ତର ସ୍ବାର୍ଥ ପାଇଁ ସହଯୋଗ କରିବି।
ଅନ୍ୟପକ୍ଷରେ ଜଗନ୍ନାଥଙ୍କ ଗିରଫ ପରେ ତାଙ୍କ ସମର୍ଥକମାନେ ତାତିଛନ୍ତି । ଶତାଧିକ ସମର୍ଥକ ଡିସିପି କାର୍ଯ୍ୟାଳୟଙ୍କ ସମ୍ମୁଖରେ ହୋହାଲ୍ଲା କରିଛନ୍ତି । ସେ ସିଧାସଳଖ ବିଜେଡ଼ି ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ବିଜେଡ଼ି ଜାଣିଶୁଣି ସରକାର ଏବଂ ଜଗନ୍ନାଥ ପ୍ରଧାନଙ୍କ ମୁଣ୍ଡ ତଳକୁ କରାଇବାକୁ ଷଡ଼ଯନ୍ତ୍ର କରି ଜଗନ୍ନାଥଙ୍କୁ ଫସାଇଥିବା ଅଭିଯୋଗ କରିଛନ୍ତି ।
ସେପଟେ ଜଗନ୍ନାଥଙ୍କ ଗିରଫଦାରୀ ପରେ ଆନ୍ଦୋଳନରୁ ଓହରିଛି ଓଏଏସ୍ ସଂଘ । ଏହା ସହିତ ଓଆରଏସ ସଂଘ ମଧ୍ୟ ଆନ୍ଦୋଳନରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି । ଏ ନେଇ ସଂଘର ସଭାପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କାରଣ ସଂଘ ତିନି ଦିନ ହେବ ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ ଅଟଳ ଥିଲା । ଯେପର୍ଯ୍ୟନ୍ତ ଜଗନ୍ନାଥ ଗିରଫ ନ ହୋଇଛନ୍ତି ସେପର୍ଯ୍ୟନ୍ତ କୌଣସି ଅଧିକାରୀ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଏକ ଦାବି ପତ୍ର ଦେଇଥିଲେ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ସୋମବାର ବିଏମସି କାର୍ଯ୍ୟାଳୟରେ ଏକ ଅପ୍ରୀତିକର ଘଟଣା ଦେଖିବାକୁ ମିଳିଥିଲା । ୨୯ ନମ୍ବର ୱାର୍ଡର ବିଜେପି କର୍ପୋରେଟର୍ ଜୀବନ ରାଉତ ଏବଂ ତାଙ୍କ ସମର୍ଥକମାନେ ବିଏମସି ଅତିରିକ୍ତ କମିଶନ ରତ୍ନାକର ସାହୁଙ୍କୁ ମାଡ଼ ମାରିଥିବାର ଭିଡ଼ିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ବିଭିନ୍ନ ରାଜନୈତିକ ମହଲରେ ତୀବ୍ର ସମାଲୋଚନା କରାଯାଇଥିଲା । ଏ ନେଇ ଖାରବେଳନଗର ଥାନାରେ ମାମଲା ରୁଜୁ ହେବା ପରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି ।