ପୁରୀ: ବାହୁଡା ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଗତକାଲି ମହାପ୍ରଭୁ ଜଗନ୍ନାଥଙ୍କ ରଥକୁ ଦକ୍ଷିଣ ମୋଡ କରାଯାଇଥିଲା । ମହାପ୍ରଭୁଙ୍କ ପବିତ୍ର ବାହୁଡା ଯାତ୍ରାର ପୂର୍ବ ପ୍ରସ୍ତୁତି ତଥା ନୀତି ବହୁଳତା ଦୃଷ୍ଟିରୁ ଆଜି “ସନ୍ଧ୍ୟା ଦର୍ଶନ” ଥିବାରୁ ସନ୍ଧ୍ୟା ୬ଟାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାରରେ ସର୍ବସାଧାରଣ ପ୍ରବେଶ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଭକ୍ତ ଓ ଶ୍ରଦ୍ଧାଳୁ ମାନେ ବାହୁଡ଼ା ଯାତ୍ରା ଦିନ ରଥାରୂଢ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ ସୌଭାଗ୍ୟ ଲାଭ କରିପାରିବେ ।
ତେବେ ରଥଯାତ୍ରାରେ ଯାହା ସୁରକ୍ଷା ବ୍ୟବସ୍ଥା ରହିଥିଲା ବାହୁଡା ଯାତ୍ରାରେ ମଧ୍ୟ ସେ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୨୦୦ ପ୍ଲାଟୁନ୍ ପୋଲିସ ଫୋର୍ସ, ୨୭୫ ଏଆଇ କ୍ୟାମେରା ସହିତ ବରିଷ୍ଠ ଆଇଏଏସ ଓ ଆଇପିଏସ ରଥ ଯାତ୍ରା ସୁରକ୍ଷା ବ୍ୟବସ୍ଥାରେ ରହିବେ । ଏଆଇ କ୍ୟାମେରା ଦ୍ଵାରା ଭିଡ ନିୟନ୍ତ୍ରଣ କରାଯିବ । ଯେଉଁଠି ଭିଡ ଅଧିକ ହେବ ସଙ୍ଗେ ସଙ୍ଗେ ଉକ୍ତ ଅଞ୍ଚଳରେ ମୁତୟନ ଥିବା ପୋଲିସ ଅଧିକାରୀଙ୍କୁ ସୂଚନା ଦିଆଯିବ । ଯାହା ଫଳରେ ଭିଡକୁ ନିୟନ୍ତ୍ରଣ କରାଯିବ। ବଡଦାଣ୍ଡରେ ଆମ୍ବୁଲାନ୍ସ ଯାତାୟାତ ପାଇଁ ଗ୍ରୀନ କରିଡ଼ର ରହିବ । ଯଦି କୌଣସି ଦଳାଚକଟା ଘଟଣା ଘଟେ ଅବା କେହି ଭକ୍ତ ଅସୁସ୍ଥ କି ଆହତ ହେବେ ସେମାନଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ରେ ଗ୍ରୀନ କରିଡ଼ର ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠା ଯାଇପାରିବ । ପୁରୀ ସହରର ବିଭିନ୍ନ ସ୍ଥାନ ରେ ସ୍ବାସ୍ଥ୍ୟ ସେବା କେନ୍ଦ୍ର ରହିବ। ସେଠାରେ ସ୍ୱାସ୍ଥ୍ୟକର୍ମୀ ରହି ଭକ୍ତ ଓ ଯାତ୍ରଙ୍କ ଚିକିତ୍ସା ସେବା ଯୋଗାଇ ଦେଇ ପାରିବେ। ବଡଦାଣ୍ଡରେ ରଥ ଟଣା ହେବାବେଳେ ବଡ ଦାଣ୍ଡକୁ ସଂଯୋଗ କରୁଥିବା ସବୁ ରାସ୍ତା ସିଲ ରହିବ ।