ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମ ଦେଶର ୯ଟି ହାଇକୋର୍ଟରେ ବିଚାରପତିଙ୍କ ନିଯୁକ୍ତି ପ୍ରସ୍ତାବକୁ ଅନୁମୋଦନ କରିଛି । ଜୁଲାଇ ୧ ଏବଂ ୨ ତାରିଖରେ ସୁପ୍ରିମକୋର୍ଟ ବିଚାରପତି ବି.ଆର୍.ଗବାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଲେଜିୟମ ବୈଠକରେ ପ୍ରସ୍ତାବ ଅନୁମୋଦିତ ହୋଇଛି । କଲେଜିୟମରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ବିକ୍ରମ ନାଥ ମଧ୍ୟ ସାମିଲ ଥିଲେ । ଏଥିରେ ବର୍ତ୍ତମାନ ବିଚାରପତିଙ୍କ ବ୍ୟତୀତ ୧୫ ନୂତନ ବିଚାରପତିଙ୍କ ନିଯୁକ୍ତି ସୁପାରିଶକୁ ମଞ୍ଜୁରି ମିଳିଛି ।
ଦିଲ୍ଲୀରେ ୩, ପାଟନାରେ ୨, ପଞ୍ଜାବ ଓ ହରିୟାଣା ହାଇକୋର୍ଟ ପାଇଁ ୧୦, ରାଜସ୍ଥାନରେ ୨, ଗୌହାଟୀରେ ୪, ତେଲେଙ୍ଗାନାରେ ୪, ମଧ୍ୟପ୍ରଦେଶରେ ୫ ଏବଂ ଆନ୍ଧ୍ର ପ୍ରଦେଶ ଓ ମେଘାଳୟ ହାଇକୋର୍ଟ ପାଇଁ ଜଣେ ଲେଖାଏଁ ବିଚାରପତିଙ୍କୁ ନିଯୁକ୍ତ ମିଳିବ ।
ଦିଲ୍ଲୀ ହାଇକୋର୍ଟରେ ୩ ଜଣ ନ୍ୟାୟିକ ଅଧିକାରୀ ଏବଂ ପାଟନା ହାଇକୋର୍ଟର ୨ ଜଣ ଓକିଲଙ୍କୁ ବିଚାରପତି ଭାବରେ ନିଯୁକ୍ତି ଦେବା ପ୍ରସ୍ତାବକୁ ଅନୁମୋଦନ ମିଳିଛି । ସେହିପରି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ପାଇଁ ଅନୁମୋଦିତ ୧୦ ଜଣ ନ୍ୟାୟିକ ଅଧିକାରୀ ହେଲେ ବୀରେନ୍ଦ୍ର ଅଗ୍ରୱାଲ, ମନଦୀପ ପନ୍ନୁ, ପ୍ରମୋଦ ଗୋୟଲ, ଶାଲିନୀ ସିଂହ ନାଗପାଲ, ଅମରିନ୍ଦର ସିଂହ ଗ୍ରେୱାଲ, ସୁଭାଷ ମେହଲା, ସୂର୍ଯ୍ୟ ପ୍ରତାପ ସିଂହ, ରୂପିନ୍ଦରଜିତ ଚହଲ, ଆରାଧନା ସାହାଣୀ, ଯଶବୀର ସିଂହ ରାଠୋର ।
ସେହିପରି ତେଲେଙ୍ଗାନା ହାଇକୋର୍ଟର ବିଚାରପତି ଭାବରେ ୪ ଜଣ ଓକିଲଙ୍କ ନାମ ସୁପାରିଶ କରାଯାଇଛି । ଗୌସେ ମୀରା ମୋହିଉଦ୍ଦିନ୍, ଚଲପତି ରାଓ ସୁଡ୍ଡାଲା, ଭକ୍ତି ରାମକୃଷ୍ଣ ରେଡ୍ଡୀ ଏବଂ ଗାଦି ପ୍ରବୀଣ କୁମାର ଅଛନ୍ତି । ରାଜସ୍ଥାନ ହାଇକୋର୍ଟର ବିଚାରପତି ଭାବରେ ଜଣେ ନ୍ୟାୟିକ ଅଧିକାରୀ ଏବଂ ଜଣେ ଓକିଲଙ୍କ ନାମକୁ ଅନୁମୋଦନ କରିଛନ୍ତି।
ଆଇନଜୀବୀ ତୁହିନ କୁମାର ଗେଡେଲାଙ୍କୁ ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ବିଚାରପତି ଭାବରେ ନିଯୁକ୍ତି କରିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଅତିରିକ୍ତ ବିଚାରପତି ଜଷ୍ଟିସ ବିଶ୍ୱଦୀପ ଭଟ୍ଟାଚାର୍ଯ୍ୟଙ୍କୁ ମେଘାଳୟ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବରେ ନିଯୁକ୍ତି ଦେବାକୁ ସୁପାରିଶ କରିଛନ୍ତି । ଦୁଇ ନ୍ୟାୟିକ ଅଧିକାରୀ ପ୍ରାଞ୍ଜଲ ଦାସ ଏବଂ ସଞ୍ଜୀବ କୁମାର ଶର୍ମା ଏବଂ ଦୁଇ ଜଣ ଆଇନଜୀବୀ ଅଞ୍ଜନ ମୋନି କାଲିତା ଏବଂ ରାଜେଶ ମଜୁମଦାରଙ୍କୁ ଗୌହାଟୀ ହାଇକୋର୍ଟର ବିଚାରପତି ଭାବରେ ନିଯୁକ୍ତି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
ମଧ୍ୟପ୍ରଦେଶ ହାଇକୋର୍ଟ ପାଇଁ ୫ ଜଣ ବରିଷ୍ଠ ଆଇନଜୀବୀ ପୁଷ୍ପେନ୍ଦ୍ର ଯାଦବ, ଆନନ୍ଦ ସିଂହ ବହରାବତ, ଅଜୟ କୁମାର ନିରଙ୍କାରୀ, ଜୟ କୁମାର ପିଲାଇ ଏବଂ ହିମାଂଶୁ ଯୋଶୀଙ୍କ ନାମକୁ ମଞ୍ଜୁରି ମିଳିଛି । ଏହା ବ୍ୟତୀତ ପାଞ୍ଚ ଜଣ ବିଚାରପତି ରାଜେଶ କୁମାର ଗୁପ୍ତା, ଆଲୋକ ଅବସ୍ଥି, ରତ୍ନେଶ ଚନ୍ଦ୍ର ସିଂହ ବିସେନ, ଭଗବତୀ ପ୍ରସାଦ ଶର୍ମା ଏବଂ ପ୍ରଦୀପ ମିତ୍ତଲଙ୍କୁ ମଧ୍ୟ ନିଯୁକ୍ତି ମିଳିବ ।