ନୂଆଦିଲ୍ଳୀ: ଚଳିତ ବର୍ଷ ସେପ୍ଟେମ୍ବରରେ ଭାରତୀୟ କ୍ରିକେଟ୍ ଦଳର ବାଂଲାଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା । ଏହି ଗସ୍ତରେ ଦଳ ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍ ବିଶିଷ୍ଟ ସିିରିଜ୍ ଖେଳିଥାନ୍ତା । ମାତ୍ର ଭାରତୀୟ ଦଳ ବାଂଲାଦେଶ ଗସ୍ତ କରିବାର ସମ୍ଭାବନା କମ ରହିଛି । ପୁଣି ଗତ କିଛି ବର୍ଷ ହେବ ବାଂଲାଦେଶ ସହ ଭାରତର ସଂପର୍କରେ ତିକ୍ତତା ଆସିଛି । ବାଂଲାଦେଶର ଆଭ୍ୟନ୍ତରୀଣ ସ୍ଥିତି ମଧ୍ୟ ଭଲ ନାହିଁ ।
ବାଂଲାଦେଶ ଗସ୍ତକୁ ନେଇ ବିସିସିଆଇ ସୂତ୍ରରୁ ପ୍ରକାଶ ଯେ, ଭାରତର ବାଂଲାଦେଶ ଗସ୍ତ ରଦ୍ଦ ହେବାର ସମ୍ଭାବନା ରହିଛି । ସରକାର ବିସିସିଆଇକୁ ସେଠାକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି । କାରଣ ବାଂଲାଦେଶର ସ୍ଥିତି ଏବେ ଠିକ୍ ନାହିଁ । ଏହି ବିଷୟରେ ଆନୁଷ୍ଠାନିକ ଘୋଷଣା ଶୀଘ୍ର ହୋଇପାରେ । ଭାରତ ଶେଷ ଥର ୨୦୨୪ରେ ବାଂଲାଦେଶ ଗସ୍ତ କରିଥିଲା । ଏହି ଗସ୍ତରେ ଦୁଇ ଦଳ ମଧ୍ୟରେ ତିନି ମ୍ୟାଚର ଟି-୨୦ ସିରିଜ୍ ଓ ଦୁଇ ମ୍ୟାଚର ଟେଷ୍ଟ ସିରିଜ୍ ଖେଳା ଯାଇଥିଲା । ଉଭୟ ସିରିଜରେ ଭାରତ ମୂଳପୋଛ ବିଜୟ ହାସଲ କରିଥିଲା । କିନ୍ତୁ ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସାକାଣ୍ଡ ବଢୁଥିବାରୁ ସେଠାକୁ ନିଜ ଦଳ ପଠାଇବାକୁ ସରକାର ଉଚିତ୍ ମଣୁ ନାହାନ୍ତି ।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ବାଂଲାଦେଶରେ ଦିନକୁ ଦିନ ହିନ୍ଦୁ ବିରୋଧୀ ଗତିବିଧି ବଢିବାରେ ଲାଗିଛି । ଢାକାରେ ଦୁର୍ଗା ମନ୍ଦିର ବିଧ୍ୱଂସ କରାଯାଇଥିଲା । ଅନ୍ତରୀଣ ସରକାର ମନ୍ଦିରକୁ ସୁରକ୍ଷା ଦେବା ପରିବର୍ତ୍ତେ ମନ୍ଦିର ଏହା ବେଆଇନ ଜାଗାରେ ନିର୍ମାଣ କରାଯାଇଥିବା ଯୁକ୍ତି ବାଢିଲେ । ପୁଣି ହିନ୍ଦୁମାନଙ୍କ ଧାର୍ମିକ ନେତାଙ୍କୁ ସେଠାରେ ହତ୍ୟା କରାଯାଉଛି । ହିନ୍ଦୁମାନଙ୍କ ଉପରେ ବାଂଲାଦେଶର ଚରମପନ୍ଥୀଙ୍କ ଅତ୍ୟାଚାର ବଢିବାରେ ଲାଗିଛି । ଏମିତି ସ୍ଥିତିରେ ଭାରତୀୟ ଦଳର ବାଂଲାଦେଶ ଗସ୍ତ ଠିକ୍ ନୁହେଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।