ବର୍ମିଂହାମ: ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ଆଜି ବର୍ମିଂହାମର ଏଜବାଷ୍ଟନରେ ଖେଳାଯିବ । ଏହି ମୁକାବିଲାରେ ଭାରତୀୟ ଦଳ ଅନେକ ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇପାରେ । ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା କାର୍ଯ୍ୟଚାପ ଯୋଗୁଁ ଏହି ଟେଷ୍ଟ ଖେଳିବାର ସମ୍ଭାବନା ବହୁତ କ୍ଷୀଣ ରହିଛି । ଜଣେ ଅଲରାଉଣ୍ଡର ସହ ଜଣେ ବ୍ୟାଟରଙ୍କୁ ମଧ୍ୟ ଚୂଡାନ୍ତ ଏକାଦଶରୁ ବାଦ୍ ଦିଆଯାଇପାରେ । ବ୍ୟାଟିଂ କ୍ରମରେ ମଧ୍ୟ କିଛିଟା ପରିବର୍ତ୍ତନ କରାଯାଇପାରେ ।
ଏହି ସମୀକରଣ ହିସାବରେ ଦ୍ରୁତ ବୋଲର ଯଶପ୍ରୀତ ବୁମରା, ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ଓ ବ୍ୟାଟର ସାଇ ସୁଦର୍ଶନଙ୍କୁ ବାହାରେ ବସିବାକୁ ପଡିପାରେ । ଏମିତିରେ ବୁମରାଙ୍କ ସ୍ଥାନରେ ଆକାଶ ଦୀପ, ଶାର୍ଦ୍ଦୁଳଙ୍କ ସ୍ଥାନରେ ସ୍ପିନ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଏବଂ ସାଇ ସୁଦର୍ଶନଙ୍କ ସ୍ଥାନରେ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀଙ୍କୁ ସୁଯୋଗ ମିଳିପାରେ । ସାଇ ସୁଦର୍ଶନ ଗତ ମ୍ୟାଚରେ ଟେଷ୍ଟରେ ପଦାର୍ପଣ କରିଥିଲେ ହେଁ ଭଲ ପ୍ରଦର୍ଶନ କରି ପାରି ନ ଥିଲେ ।
ସାଇ ସୁଦର୍ଶନ ନମ୍ବର ୩ରେ ବ୍ୟାଟିଂ କରିଥିଲେ । ଏମିତିରେ ତାଙ୍କ ସ୍ଥାନରେ କରୁଣ ନାୟର ନମ୍ବର ୩ରେ ବ୍ୟାଟିଂ କରିବେ । କରୁଣ ନାୟରଙ୍କ ସ୍ଥାନ ନମ୍ବର ୬ରେ ନୀତିଶ କୁମାର ରେଡ୍ଡୀ ବ୍ୟାଟିଂ କରିବା ଦେଖିବାକୁ ମିଳିପାରେ । ମୋଟ୍ ତିନି ଜଣ ଅଲରାଉଣ୍ଡର ଚୂଡାନ୍ତ ଏକାଦଶରେ ସାମିଲ ହେବେ । ତିନି ବିଶେଷଜ୍ଞ ଦ୍ରୁତ ବୋଲର ଖେଳିବେ । ଏହିପରି ପାଞ୍ଚ ବିଶେଷଜ୍ଞ ବ୍ୟାଟର, ତିନି ଜଣ ଅଲରାଉଣ୍ଡର ଓ ତିନି ଦ୍ରୁତ ବୋଲର ଚୂଡାନ୍ତ ଏକାଦଶରେ ରହିବେ । ଗତ ମ୍ୟାଚରେ ୬ ବ୍ୟାଟର, ଦୁଇ ଅଲରାଉଣ୍ଡର ଓ ତିନି ଦ୍ରୁତ ବୋଲର ସମୀକରଣ ସହ ଭାରତୀୟ ଦଳ ମଇଦାନକୁ ଓହ୍ଲାଇଥିଲା ।
ଭାରତୀୟ ଦଳର ସମ୍ଭାବିତ ଚୂଡାନ୍ତ ଏକାଦଶ
କେଏଲ ରାହୁଲ, ଯଶସ୍ୱୀ ଜୟସ୍ୱାଲ, କରୁଣ ନାୟର, ଶୁଭମନ ଗିଲ୍(ଅଧିନାୟକ), ଋଷଭ ପନ୍ତ( ୱିକେଟ୍ କିପର), ନୀତିଶ କୁମାର ରେଡ୍ଡୀ, ରବୀନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା ଓ ଆକାଶ ଦୀପ ।