ଇଂଲଣ୍ଡ: ଭାରତୀୟ ମହିଳା କ୍ରିକେଟ୍ ଦଳ ଏବଂ ଇଂଲଣ୍ଡ ମହିଳା କ୍ରିକେଟ୍ ଦଳ ମଧ୍ୟରେ ଆଜି ଓଭାଲ ଷ୍ଟାଡିୟମରେ ତୃତୀୟ ଟି-୨୦ ମ୍ୟାଚ୍ ଖେଳାଯିବ। ଭାରତୀୟ ସମୟ ରାତି ୧୧ଟା ୫ରୁ ଏହି ମ୍ୟାଚ୍ ଓଭାଲ କ୍ରିକେଟ୍ ଗ୍ରାଉଣ୍ଡରେ ଆରମ୍ଭ ହେବ। ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜର ଏହି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ଇତିହାସ ସୃଷ୍ଟି କରିପାରିବାକୁ ହାତରେ ସୁଯୋଗ ରହିଛି। ଏହା ୨ କିମ୍ବା ତା'ଠାରୁ ଅଧିକ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ ବିଜୟ ହେବ।
ଭାରତ ବନାମ ଇଂଲଣ୍ଡ ଟି-୨୦ ସିରିଜ୍ ୨୯ ଜୁନ୍ରେ ଆରମ୍ଭ ହୋଇଛି। ଭାରତ ପ୍ରଥମ ମ୍ୟାଚ୍ ୯୭ ରନ୍ରେ ଜିତିଥିଲା। ଅଧିନାୟକ ହରମନପ୍ରୀତ କୌର ଆଘାତ ଯୋଗୁଁ ଖେଳି ନଥିଲେ, ଯାହାଙ୍କ ଅନୁପସ୍ଥିତିରେ ସ୍ମୃତି ମନ୍ଧାନା ଦାୟିତ୍ୱ ନେଇଥିଲେ। ସେ ୬୨ ବଲ୍ରେ ୧୧୨ ରନ୍ର ଏକ ଧମାକାଦାର ଇନିଂସ ଖେଳିଥିଲେ। ୨୧୦ ରନ୍ର ବିଶାଳ ସ୍କୋର କରିବା ପରେ ଭାରତୀୟ ବୋଲରମାନେ ଇଂଲଣ୍ଡକୁ ୧୧୩ ରନ୍ରେ ଅଲଆଉଟ୍ କରିଥିଲେ।
ହରମନପ୍ରୀତ କୌର ଦ୍ୱିତୀୟ ମ୍ୟାଚ୍ରେ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ମ୍ୟାଚ୍ ମଧ୍ୟ ଟିମ୍ ଇଣ୍ଡିଆ ୨୪ ରନ୍ରେ ଜିତିଥିଲା। ଜେମିମାହ ରଡ୍ରିଗ୍ସ (୬୩) ଏବଂ ଅମନଜୋତ କୌର (୬୩)ଙ୍କ ଚମତ୍କାର ଇନିଂସ ଯୋଗୁଁ ଭାରତ ୧୮୧ ରନ କରିଥିଲା ବେଳେ ଇଂଲଣ୍ଡ କେବଳ ୧୫୭ ରନ କରିପାରିଥିଲା।
୨୦୦୬ ମସିହାରେ ଟିମ୍ ଇଣ୍ଡିଆ କେବଳ ଗୋଟିଏ ଟି-୨୦ ମ୍ୟାଚ୍ ଖେଳିବା ପାଇଁ ଇଂଲଣ୍ଡ ଯାଇଥିଲା, ଯାହାକୁ ଭାରତ ଜିତି ସିରିଜ୍ ଜିତିଥିଲା। କିନ୍ତୁ ସେବେଠାରୁ ଭାରତୀୟ ମହିଳା ଦଳ କେବେ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ୍ ଜିତିନାହିଁ। ୨୦୦୬ ମସିହାରେ ସେହି ଗୋଟିଏ ମ୍ୟାଚ୍ ପରେ, ଉଭୟଙ୍କ ମଧ୍ୟରେ ୬ଟି ସିରିଜ୍ ଖେଳାଯାଇଛି। ଭାରତରେ ୩ଟି ସିରିଜ୍ ଏବଂ ଇଂଲଣ୍ଡରେ ସମାନ ଥର ଅନୁଷ୍ଠିତ ହୋଇଥିଲା, କିନ୍ତୁ ଇଂଲଣ୍ଡ ପ୍ରତ୍ୟେକ ଥର ଜିତିଛି।
ଏବେ ଏହି ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ ରେ, ଟିମ୍ ଇଣ୍ଡିଆ ପ୍ରଥମ ୨ଟି ମ୍ୟାଚ୍ ଜିତିଛି, ଯଦି ହରମନପ୍ରୀତ କୌର ଏବଂ ଟିମ୍ ଆଜି ଜିତିଯାଏ, ତେବେ ଏହା ଏକ ରେକର୍ଡ ହେବ। ୨୦୦୬ ପରେ ଏହା ପ୍ରଥମ ଥର ହେବ ଯେ ଟିମ୍ ଇଣ୍ଡିଆ ଇଂଲଣ୍ଡକୁ ଟି-୨୦ ସିରିଜ୍ ରେ ପରାସ୍ତ କରିବ।
ଭାରତ ଏବଂ ଇଂଲଣ୍ଡ ମହିଳା କ୍ରିକେଟ ଦଳ ମଧ୍ୟରେ ମୋଟ ୩୨ଟି ଟି-୨୦ ମ୍ୟାଚ୍ ଖେଳାଯାଇଛି। ଭାରତ ୧୦ଟି ମ୍ୟାଚ୍ ଜିତିଛି ଏବଂ ଇଂଲଣ୍ଡ ୨୨ଟି ମ୍ୟାଚ୍ ଜିତିଛି।
ଅଧିକ ପଢ଼ନ୍ତୁ: ହିମାଚଳ ବନ୍ୟାରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି