ଚିଲିକା ଭିତରେ ଅନୁଷ୍ଠିତ ହୋଇଛି ଐତିହାସିକ ମାଲୁଦ ପଂଚୁଦୋଳ ଯାତ୍ରା। ଏଠାରେ ଏକାଠି ହୋଇଛନ୍ତି ୨୩ ଠାକୁର। ପାଣିରେ ପଶି ବିମାନରେ ଠାକୁରଙ୍କୁ କାନ୍ଧରେ ବୋହି ଆଣିବା ଦୃଶ୍ୟ ଅତ୍ୟନ୍ତ ମନୋରମ। ଠାକୁରଙ୍କ ଏହି ଶୋଭାଯାତ୍ରା ସାରା ଓଡ଼ିଶାରେ ବିରଳ। ଏହି ଅପୂର୍ବ ଦୃଶ୍ୟ ଦେଖିବାକୁ ପ୍ରବଳ ଜନ ସମାଗମ ହୋଇଥାଏ।
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଐତିହାସିକ ମାଲୁଦ ପଂଚୁଦୋଳ ଯାତ୍ରା, ଯାହାର ଇତିହାସ ବହୁ ପୁରୁଣା। ପାଣି ଭିତରେ ପଶି ମେଳଣ କରିବାକୁ ଆସିଥାନ୍ତି ଠାକୁର। ଚିଲିକା କୂଳରେ ହୋଇଥାଏ ଯାତ୍ରା। ଭକ୍ତି, ଆବେଗର ସହ ଚିଲିକା ଟାପୁରେ ଏକାଠି ହୋଇଛନ୍ତି ହଜାର ହଜାର ଭକ୍ତ।
ମାଲୁଦ ଅଞ୍ଚଳର ଏହି ମେଳଣର ଇତିହାସ ଶହଶହ ବର୍ଷ ପୁରୁଣା। ଖୋର୍ଦ୍ଧାର ପାଇକ ନାଚ ହେଉ କିମ୍ବା ଗଞ୍ଜାମର ଘୋଡ଼ାନାଚ ବିଭିନ୍ନ ସ୍ଥାନର ଲୋକନୃତ୍ୟକୁ ଏଠାକୁ ଆମନ୍ତ୍ରିତ କରି ପରମ୍ପରାକୁ ସମ୍ମାନ ଜଣାଇଥାନ୍ତି ସ୍ଥାନୀୟ ଅଧିବାସୀ। ଲୋକନୃତ୍ୟ ସହ ହସ୍ତଶିଳ୍ପକୁ ମଧ୍ୟ ପ୍ରଦର୍ଶନ କରିବାର ସୁଯୋଗ ଦେଇଥାଏ ଏହି ପର୍ବ। ପିପିଲି ଚାନ୍ଦୁଆ, କଟକର ତାରକସି କାମ ଭଳି ବିଭିନ୍ନ ହସ୍ତଶିଳ୍ପ ଏହା ମାଧ୍ୟମରେ ସାରା ବିଶ୍ୱକୁ ଦେଖାଇଥାଏ ଶିଳ୍ପୀ।
୪ଦିନ ଧରି ଚାଲୁଥିବା ଏହି ପରମ୍ପରାରେ ଐତିହ୍ୟ ସହ ଆଧୁନିକତାର ସ୍ପର୍ଶ ବି ଦେଖିବାକୁ ମିଳେ। ଏହି ଐତିହାସିକ ଯାତ୍ରାର ବିଶେଷ୍ୟତ ହେଉଛି ଏହା କେବଳ ରାଧାକୃଷ୍ଣଙ୍କ ମିଳନ ନୁହେଁ ଏଠାରେ ହର ଏବଂ ମାତା ପାର୍ବତୀଙ୍କ ମିଳନ ବି ହୋଇଥାଏ। ଠାକୁରଙ୍କ ଏହି ଶୋଭାଯାତ୍ରାରେ ସାମିଲ ହୋଇଥାନ୍ତି ବହୁ ଦୂର ଦୂରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ। ବାଦ୍ୟ ନୃତ୍ୟର ଆସର ଭିତରେ ଠାକୁରଙ୍କୁ ସ୍ୱାଗତ କରିଥାନ୍ତି ଅଞ୍ଚଳବାସୀ। ସୁସଂଜିତ ମେଢ଼କୁ ଦେଖିଲେ ଆଖି ଲାଖି ରହିଯାଏ।