ନୂଆଦିଲ୍ଲୀ: ସୋମବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ମାରିଛନ୍ତି । ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଯେପରି ଭାରତର ନାଗରିକଙ୍କ ଉପରେ ନ ପଡ଼େ ସେଥିପାଇଁ ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ବିଭାଗର ମନ୍ତ୍ରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ମନ୍ତ୍ରାଳୟକୁ କୌଣସି ସମ୍ଭାବିତ ସଙ୍କଟର ସାମ୍ନାକୁ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟ୍ ବୈଠକ ବାବଦରେ ସୂଚନା ଦେଇ କହିଛନ୍ତି ଯେ ଜଳ ଜୀବନ ମିଶନକୁ ଡିସେମ୍ବର, 2028 ଯାଏ ଅବଧିକୁ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । କେନ୍ଦ୍ର ସରକାର ଜଳ ଜୀବନ ମିଶନ ବଜେଟକୁ 8.7 ଲକ୍ଷ କୋଟି ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପୂର୍ବରୁ ଏହାକୁ 2019ରୁ 2024 ଯାଏଁ ମଞ୍ଜୁରି ମିଳିଥିଲା । ଏହି ଯୋଜନାରେ ଏଯାବତ 12 କୋଟି 60 ଲକ୍ଷ ଗ୍ରାମୀଣ ଘରକୁ ନଳ ଦ୍ୱାରା ପାନୀୟ ଜଳ ଯୋଗାଇ ଦିଆଯାଇଛି । କେନ୍ଦ୍ର ସରକାର ଏଥିରେ ବିତ୍ତରଣ ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି । ତିନି ମାସ ମଧ୍ୟରେ ରାଜ୍ୟ ମାନଙ୍କ ସହିତ ଭିନ୍ନ ଭିନ୍ନ ଚୁକ୍ତି କରାଯାଇ ବିତ୍ତରଣରେ ସୁଧାର ଆଣିବାକୁ ସୁନିଶ୍ଚିତ କରାଯିବ ।
ସେହିପରି ମଦୁରାଇ ବିମାନବନ୍ଦରକୁ ଅନ୍ତର୍ଜାତୀୟ ମାନ୍ୟତା ମିଳିଛି । ଆଜି ମୋଦୀ ସରକାର ଉପରେ ମୋହର ମାରିଛନ୍ତି । ମଦୁରାଇରେ ପୂର୍ବରୁ ମଧ୍ୟ ଅନ୍ତର୍ଜାତୀୟ ଉଡ଼ାଣ ଜାରି ରହିଥିଲା । ଦୁବାଇ, ଆବୁ ଦାବୀ ଏବଂ କଲମ୍ବୋକୁ ଉଡ଼ାଣ ଜାରି ରହିଛି ଏବଂ ଅନେକ ବିମାନ କମ୍ପାନୀ ଏଠାରୁ ଉଡ଼ାଣ ସେବା ଆରମ୍ଭ କରିବାକୁ ଇଚ୍ଛା ପ୍ରକଟ କରିଛନ୍ତି । ଯାହାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଦ୍ୱାରା ବିଭିନ୍ନ ଧାର୍ମିକ ସ୍ଥଳ ଯଥା ମୀନାକ୍ଷୀ ଅମ୍ମନ ମନ୍ଦିର, କୁଡଲ ଅଜଗର ମନ୍ଦିର, ଥିରୁପରନକୁଣ୍ଡ୍ରମ ମୁରୁଗନ ମନ୍ଦିର, ପଲାମୁଧିର ଚୌଲାଇ ମୁରୁଗନ ମନ୍ଦିର ଏବଂ ରାମେଶ୍ୱରମକୁ ଯାତ୍ରା ସହଜ ହେବ । ସେହିପରି ଅଟୋମୋବାଇଲ, ରବର, ରାସାୟନିକ ଏବଂ ଗ୍ରାଇନାଇଟ୍ ଉଦ୍ୟୋଗକୁ ପ୍ରୋତ୍ସାହନ ମିଳିବ ।
ସେହିପରି କେନ୍ଦ୍ର ମନ୍ତ୍ରୀମଣ୍ଡଳ ଦେବାଳିଆ ଆଇନ ଏବଂ କମ୍ପାନୀ ଆଇନରେ ସଂଶୋଧନ ପ୍ରସ୍ତାବ ଅନୁମୋଦିତ ହୋଇଛି । ସରକାର ଇନସଲଭେନ୍ସି ଆଣ୍ଡ ଦେବାଳିଆ କୋଡ୍ (IBC), ୨୦୧୬ ଏବଂ କମ୍ପାନୀ ଆଇନ, ୨୦୧୩ ରେ ଅନେକ ପରିବର୍ତ୍ତନକୁ ଅନୁମୋଦନ କରିଛନ୍ତି। କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ଉଭୟ ଆଇନକୁ କାର୍ଯ୍ୟକାରୀ କରେ। ଗତ ବର୍ଷ ଅଗଷ୍ଟରେ, ମନ୍ତ୍ରଣାଳୟ ଲୋକସଭାରେ ଆଇବିସି ସଂଶୋଧନ ପାଇଁ ଏକ ବିଲ୍ ଆଗତ କରିଥିଲା, ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପ୍ରସ୍ତାବ ଦିଆଯାଇଥିଲା।