ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ଚିନ୍ତାଧାରା ଏ ପର୍ଯ୍ୟନ୍ତ ଏହା ରହି ଆସିଛି ଯେ, ଚୂଡାନ୍ତ ଏକାଦଶରେ ଅଧିକରୁ ଅଧିକ କେମିତି ଅଲରାଉଣ୍ଡର ରୁହନ୍ତୁ । ବ୍ୟାଟିଂ ଓ ବୋଲିଂରେ କେମିତି ସନ୍ତୁଳନ ବଜାୟ ରଖାଯାଇ ପାରିବ ଏବଂ ଉଭୟ ବିଭାଗକୁ ଅଧିକ ମଜବୁତ କରିବା ପାଇଁ ସେଥିପାଇଁ ଅଲରାଉଣ୍ଡରଙ୍କ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି । ଏହା ପୁଣି ଥରେ ସାବ୍ୟସ୍ତ ହୋଇଛି । ବୁଧବାର ବର୍ମିଂହାମରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳରେ ୩ଟି ପରିବର୍ତ୍ତନ କରାଯାଇଛି । ଏଥିରେ ଦୁଇ ଜଣ ଅଲରାଉଣ୍ଡରଙ୍କୁ ସୁଯୋଗ ମିଳିଥିବା ବେଳେ ପୁଣି ଥରେ କୁଲଦୀପ ଯାଦବଙ୍କୁ ନିରାଶ ହେବାକୁ ପଡିଛି । ଗମ୍ଭୀରଙ୍କ ଏମିତି ନିଷ୍ପତ୍ତି ଅନେକ କ୍ରିକେଟ୍ ସମୀକ୍ଷକଙ୍କୁ ବିସ୍ମିତ କରିଛି ।
ସୋସିଆଲ ମିଡିଆରେ ପୂର୍ବତନ ଭାରତୀୟ କ୍ରିକେଟର ଡୋଡା ଗଣେଶ କୁଲଦୀପ ଯାଦବଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ ନ କରାଯିବା ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ସେ ଗମ୍ଭୀରଙ୍କ ଉପରେ କଟାକ୍ଷ କରି କୁଲଦୀପ ଯାଦବଙ୍କୁ କହିଛନ୍ତି, ଆଗାମୀ ରଣଜୀ ଟ୍ରଫି ସିଜିନରେ ଉତ୍ତର ପ୍ରଦେଶ ପାଇଁ ଶୀର୍ଷ କ୍ରମରେ ଖେଳନ୍ତୁ । ଯଦ୍ୱାରା ଟେଷ୍ଟ ଦଳରେ ସେ ନିଜର ସ୍ଥାନ ବଜାୟ ରଖି ପାରିବେ । ସେ ଏକ୍ସରେ ଲେଖିଛନ୍ତି, ଏମିତି କଲେ କୁଲଦୀପଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବ ।
ଏଜବାଷ୍ଟନ ଟେଷ୍ଟ ପାଇଁ ଏହା ଆପାତଃ ଲାଗୁଥିଲା ଯେ, ଯଶପ୍ରୀତ ବୁମରାଙ୍କୁ କାର୍ଯ୍ୟଚାପ ଯୋଗୁଁ ବିଶ୍ରାମ ଦିଆଯିବ ଏବଂ ଏକ ସ୍ପେଶାଲିଷ୍ଟ ସ୍ପିନର ଭାବେ କୁଲଦୀପ ଯାଦବଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବ । କାରଣ ଲିଡ୍ସ ଟେଷ୍ଟରେ ବୁମରାଙ୍କୁ ବାଦ ଦେଲେ ୱିକେଟ୍ ଟେକର ବୋଲର ନ ଥିଲେ । ଏହି କାରଣରୁ ଦ୍ୱିତୀୟ ମ୍ୟାଚରେ ଚାଇନାମ୍ୟାନ ବୋଲର କୁଲଦୀପ ଯାଦବ ଇଂଲଣ୍ଡ ବ୍ୟାଟରଙ୍କ ହୋସ ଉଡାଇ ପାରିଥାନ୍ତେ । ଟସ୍ ସମୟରେ ଶୁଭମନ ଗିଲ୍ କହିଛନ୍ତି, ଆମେ କୁଲଦୀପ ଯାଦବଙ୍କୁ ଖେଳାଇବା ପକ୍ଷରେ ଥିଲୁ, ମାତ୍ର ଗତ ମ୍ୟାଚକୁ ଦେଖିଲେ ଆମର ନିମ୍ନ କ୍ରମ ଭଲ ପ୍ରଦର୍ଶନ କରି ପାରି ନ ଥିଲେ । ଏହି କାରନରୁ ବ୍ୟାଟିଂରେ ଗଭୀରତା ଆଣିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ।