ଏଜବାଷ୍ଟନ:ଅଧିନାୟକ ଶୁଭମନ ଗିଲଙ୍କ ଐତିହାସିକ ଦ୍ୱିଶତକ ଇନିଂସ ବଳରେ ଏଜବାଷ୍ଟନରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନର ଖେଳ ଭାରତ ନାଁରେ ଯାଇଛି । ଭାରତ ପ୍ରଥମ ଇନିଂସରେ ୫୮୭ ରନରେ ଅଲଆଉଟ୍ ହେବା ପରେ ଇଂଲଣ୍ଡ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ୭୭ ରନ କରିଛି । କ୍ରିଜରେ ଅନୁଭବୀ ଜୋ ରୁଟ୍ ୧୮ ରନ ଓ ହ୍ୟାରି ବ୍ରୁକ ୩୦ ରନ କରି ଅପରାଜିତ ଅଛନ୍ତି । ଏବେ ବି ଘରୋଇ ଦଳ ଭାରତଠୁ ୫୧୦ ରନ ପଛରେ ରହିଛି ।
ଭାରତ ୫୮୭ ରନରେ ଅଲଆଉଟ୍ ହେବା ପରେ ଇଂଲଣ୍ଡ ନିଜର ଇନିଂସ ଆରମ୍ଭ କରିଥିଲା । ହେଲେ ଆକାଶ ଦୀପ ତୃତୀୟ ଓଭରରେ ଲଗାତାର ଦୁଇଟି ବଲରେ ଦୁଇଟି ୱିକେଟ୍ ହରାଇଥିଲା । ବେନ ଡକେଟ୍ ଓ ଓଲି ପପ ଖାତା ଖୋଲି ପାରି ନ ଥିଲେ । ପୁଣି ଜ୍ୟାକ କ୍ରାଉଲି(୧୯)ଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ ମହମ୍ମଦ ସିରାଜ । ୨୫ ରନରେ ୩ ୱିକେଟ ହରାଇ ମୁସ୍କିଲରେ ଥିବା ଇଂଲଣ୍ଡ ଇନିଂସକୁ ସମ୍ଭାଳିଛନ୍ତି ଜୋ ରୁଟ୍ ଓ ହ୍ୟାରି ବ୍ରୁକ । ଦୁଇ ବ୍ୟାଟର ସତର୍କତାର ସହ ବ୍ୟାଟିଂ କରି ଦ୍ୱିତୀୟ ଦିନରେ ଦଳର ଆଉ କୌଣସି କ୍ଷତି ହେବାକୁ ଦେଇ ନାହାନ୍ତି । ଦୁଇ ବ୍ୟାଟର ଅବିଭାଜିତ ଚତୁର୍ଥ ୱିକେଟ୍ ପାଇଁ ୫୨ ରନ ଯୋଡି ସାରିଛନ୍ତି । ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଇଂଲଣ୍ଡ ୩ ୱିକେଟ୍ ହରାଇ ୭୭ ରନ କରିଛି । ଜୋ ରୁଟ୍ ୧୮ ରନ ଓ ହ୍ୟାରି ବ୍ରୁକ ୩୦ ରନ କରି ଅପରାଜିତ ଅଛନ୍ତି ।
ଏହା ପୂର୍ବରୁ ଭାରତ ପ୍ରଥମ ଦିନର ଅସମାପ୍ତ ଖେଳ ୩୧୦/୫ରୁ ବ୍ୟାଟିଂ ଆରମ୍ଭ କରିଥିଲା । ଦୁଇ ଅପରାଜିତ ବ୍ୟାଟର ଗିଲ୍ ଓ ଜାଡେଜା ନିଜର ଦମଦାର ବ୍ୟାଟିଂ ଜାରି ରଖିଥିଲେ । ଦୁଇ ବ୍ୟାଟର ଇଂଲଣ୍ଡ ବୋଲରଙ୍କୁ ନୟାନ୍ତ କରି ପଞ୍ଚମ ୱିକେଟରେ ୨୦୩ ରନ ଯୋଡି ଭାରତକୁ ବିଶାଳ ସ୍କୋର ପ୍ରଦାନ କରିଥିଲେ । ଗୋଟିଏ ପଟେ ଗିଲ୍ ଦ୍ୱିଶତକ ହାସଲ କରିଥିବା ବେଳେ ଜାଡେଜା ଶତକ ଆଡକୁ ଅଗ୍ରସର ହେଉଥିଲେ । ତେବେ ଜୋଶ ଟଙ୍ଗ ଜାଡେଜାଙ୍କୁ ଆଉଟ୍ କରି ଏହି ଯୋଡି ଭାଙ୍ଗିଥିଲେ । ଜାଡେଜା ୧୦ ଚୌକା ଓ ୧ ଛକା ସହ ୮୯ ରନ କରିଥିଲେ । ଏହା ପରେ ଗିଲ୍ ଏବଂ ୱାଶିଂଟନ ସୁନ୍ଦର ଆଉ ଶତକୀୟ ଭାଗିଦାରୀ କରିଥିଲେ । ଉଭୟ ସପ୍ତମ ୱିକେଟ ଭାଗିଦାରୀରେ ୧୪୪ ରନ ଯୋଡି ଭାରତର ସ୍କୋରକୁ ୫୫୮ ପହଞ୍ଚାଇଥିଲେ ।
ଏହି ସ୍କୋରରେ ସୁନ୍ଦର ୪୨ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ । ତାଙ୍କ ପରେ ଗିଲଙ୍କ ଐତିହାସିକ ଇନିଂସର ଅନ୍ତ ଘଟିଥିଲା । ଗିଲ୍ ପୁଲ୍ ସଟ୍ ଖେଳିବାକୁ ଯାଇ ଆଉଟ୍ ହୋଇଥିଲେ । ସେ ୩୮୭ ବଲରୁ ୩୦ ଚୌକା ଓ ୩ ଛକା ସହ ୨୬୯ ରନର ଐତିହାସିକ ଇନିଂସ ଖେଳିଥିଲେ । ଶେଷରେ ଭାରତ ୫୮୭ ରନ କରିଥିଲା । ଏହା ପୂର୍ବରୁ ପ୍ରଥମ ଦିନରେ ଯଶସ୍ୱୀ ଜୟସ୍ୱାଲ ୮୭ ରନ କରିଥିବା ବେଳେ କରୁଣ ନାୟର ୩୧ ରନ କରିଥିଲେ ।