ନୂଆଦିଲ୍ଲୀ: ବିଶ୍ୱ ଚାମ୍ପିଅନ ଡି ଗୁକେଶ ଗୁରୁବାର କ୍ରୋଏସିଆର ଜଗରେବରେ ଗ୍ରାଣ୍ଡ ଚେସ ଟୁରର ଷଷ୍ଠ ରାଉଣ୍ଡରେ ନରୱେର ତଥା ବିଶ୍ୱର ଏକ ନମ୍ବର ଚେସ୍ ଖେଳାଳି ମ୍ୟାଗନଓ କାର୍ଲସେନଙ୍କୁ ହରାଇଛନ୍ତି । ଏହି ଧମାକାଦାର ବିଜୟ ସହ ଟୁର୍ଣ୍ଣାମେଣ୍ଟରେ ଗୁକେଶଙ୍କର ୧୦ ପଏଣ୍ଟ ହୋଇଛି । ଗୁକେଶ ପ୍ରଥମ ଦିନ ୟୁନାଇଟେଡ୍ ରାପିଡ ଆଣ୍ଡ ବ୍ଲିଟଜ ଚେସ ଟୁର୍ଣ୍ଣାମେଣ୍ଟର ପ୍ରଥମ ତିନୋଟି ରାଉଣ୍ଡ ସରିବା ପରେ ସେ ଯୁଗ୍ମ ଭାବେ ଶୀର୍ଷ ସ୍ଥାନରେ ଥିଲେ । ଏହା ପରେ ସେ ଚତୁର୍ଥ ଓ ପଞ୍ଚମ ରାଉଣ୍ଡରେ ଉଜବେକିସ୍ତାନର ନୋଦିରବେକ ଓ ଆମେରିକାର ଗ୍ରାଣ୍ଡମାଷ୍ଟର ଫାବିୟାନୋ କାରୁଆନାଙ୍କୁ ହରାଇ ନିଜର ପ୍ରାଧ୍ୟାନ୍ୟ ବିସ୍ତାର କରିଛନ୍ତି । ଏହା ପରେ ସେ କାର୍ଲସନଙ୍କୁ ମାତ୍ ଦେଇଛନ୍ତି ।
ଏହି ମୁକାବିଲା ପୂର୍ବରୁ କାର୍ଲସନ କହିଥିଲେ ଯେ, ସେ ଗୁକେଶଙ୍କ ବିପକ୍ଷରେ ଏମିତି ଖେଳିବେ ଯେମିତି ତାଙ୍କ ସାମ୍ନାରେ ଦୁର୍ବଳ ଖେଳାଳିଙ୍କ ମଧ୍ୟରୁ ଜଣେ କିଏ ବସିଛି । ତେବେ ଗୁକେଶ ରାପିଡ ବର୍ଗରେ ଦମଦାର ପ୍ରଦର୍ଶନ କରି କାର୍ଲସନଙ୍କୁ ମାତ୍ ଦେଇଛନ୍ତି । ଟୁର୍ଣ୍ଣାମେଣ୍ଟରେ ଦୁଇ ଚେସ୍ ମହାରଥୀଙ୍କ ମଧ୍ୟରେ ନିର୍ଦ୍ଧାରିତ ତିନି ମୁକାବିଲା ମଧ୍ୟରୁ ଏହା ପ୍ରଥମ ମ୍ୟାଚ୍ ଥିଲା । ଏବେ ଅବଶିଷ୍ଟ ଦୁଇଟି ମୁକାବିଲା ବ୍ଲିଟଜ ଫର୍ମାଟରେ ଖେଳାଯିବ । ଉଲ୍ଲେଖନୀୟ ରାପିଡ ବର୍ଗରେ ଜିତିଲେ ଦୁଇଏବଂ ବ୍ଲିଟଜ ବର୍ଗରେ ଜିତିଲେ କେବଳ ଗୋଟିଏ ପଏଣ୍ଟ ମିଳିଥାଏ ।
ଏହା ପୂର୍ବରୁ ଡି ଗୁକେଶ ଦିନର ଆରମ୍ଭ ଡଡାଙ୍କ ବିପକ୍ଷରେ ପରାଜୟରୁ କରିଥିଲେ । ପୁଣି ଫ୍ରାନ୍ସର ଅଲିରେଜା ଫିରୌଜାଙ୍କୁ ହରାଇଥିଲେ । ଏହା ପରେ ସେ ନିଜ ଦେଶର ପ୍ରଜ୍ଞାନାନନ୍ଦାଙ୍କୁ ମାତ୍ ଦେଇଥିଲେ । ଏଥିରୁ ସେ ୪ ପଏଣ୍ଟ ହାସଲ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଗୁକେଶ ନରୱେ ଚେସ୍ ଚାମ୍ପିଅନଶିପରେ କାର୍ଲସନଙ୍କୁ ହରାଇଥିଲେ ।