ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତାପୂର୍ଣ୍ଣ ସଂପର୍କ ମଧ୍ୟରେ ଆସିଛି ବଡ଼ ଖବର। ଆସନ୍ତାମାସରେ ଭାରତରେ ହେବାକୁ ଥିବା ଏସିଆ କପ୍ ପାଇଁ ଭାରତ ଆସିବ ପାକିସ୍ତାନର ହକି ଦଳ। ଏ ନେଇ ଗୁରୁବାର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରୀ ମିଳିଛି। ଅର୍ଥାତ ପାକିସ୍ତାନର ହକି ଦଳ ଏସିଆ କପ୍ ଓ ଜୁନିୟର ହକି ଦଳ ବିଶ୍ଵକପ୍ ଖେଳିବାକୁ ଭାରତ ଆସିବେ।
ସୂତ୍ର ଅନୁଯାୟୀ, ଆମେ କୌଣସି ବି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ କୌଣସି ଦଳର ଭାରତରେ ଖେଳିବା ବିରୋଧରେ ନୁହେଁ। ମା୍ତ୍ର ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ଵିପାକ୍ଷିକ ସିରିଜ୍ ଭିନ୍ନ ହୋଇଥାଏ। ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟ ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ବିହାରର ରାଜଗିରେ ଖେଳାଯିବ।
ଅପରେସନ ସିନ୍ଦୂର କାରଣରୁ ଏସିଆ କପ୍ରେ ପାକିସ୍ତାନର ଅଂଶଗ୍ରହଣ ନେଇ ସନ୍ଦେହ ଥିଲା। ଏସିଆ କପ୍ ବ୍ୟତୀତ ନଭେମ୍ବର-ଡିସେମ୍ବରରେ ଭାରତରେ ଖେଳା ଯିବାକୁ ଥିବା ଜୁନିୟର ବିଶ୍ଵକପ୍ ପାଇଁ ପାକିସ୍ତାନ ଦଳକୁ ମଧ୍ୟ ଅନୁମତି ଦିଆଯିବ ବୋଲି ଭାରତୀୟ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ହକି ଇଣ୍ଡିଆର ସଂପାଦକ ଭୋଲା ନାଥ ସିଂ ପାକିସ୍ତାନ ଦଳର ଭାରତ ଆସିବା ନେଇ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଆମେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ହିଁ କାମ କରିବୁ। ସରକାର ଯାହା ସ୍ଥିର କରିବେ ତାହା ଆମର ଆଭିମୁଖ୍ୟ ରହିବ। ଭୋଲା ନାଥଙ୍କ ଏହି ବୟାନ ସ୍ପଷ୍ଟ କରିଛି ଯେ, ହକି ଇଣ୍ଡିଆ କୌଣସି ବି ରାଜନୈତିକ କିମ୍ବା କୂଟନୈତିକ ନିଷ୍ପତ୍ତିରେ ହସ୍ତକ୍ଷେପ କରିବ ନାହିଁ ଏବଂ ସଂପୂର୍ଣ୍ଣ ଭାବେ ସରକାରଙ୍କ ନିର୍ଦ୍ଦେଶର ପାଳନ କରିବ।
ଅନ୍ୟପଟେ ଭାରତ-ପାକିସ୍ତାନ ମଧ୍ୟରେ ଟି-୨୦ ଏସିଆ କପ୍ରେ ମ୍ୟାଚ୍ ଖେଳା ଯାଇପାରେ। ଏହି ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୪ କିମ୍ବା ୫ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଚାଲିପାରେ। ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ୟୁଏଇରେ ଖେଳାଯିବାର ସମ୍ଭାବନା ରହିଛି।