ସୋନପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ଝାର ତରଭା ନିକଟରେ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଧରିଛି ତରଭା ପୁଲିସ। ସୋନପୁର ଜିଲ୍ଲା ଦେଇ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଗଞ୍ଜେଇ ଧରିବା ସହିତ ଚାଲାଣ ହେଉଥିବା ଗାଡ଼ି ଜବତ ହୋଇଛି । କିନ୍ତୁ ଗଞ୍ଜେଇ ଚାଲାଣକାରୀ ମାନେ ଫେରାର ମାରିଛନ୍ତି ।
ସୂଚନା ଅନୁସାରେ ବୁଧବାର ସୋନପୁର ଜିଲ୍ଲା ତରଭା ଦେଇ ଏକ ମେକ୍ସ ପିକଅପ ଗାଡ଼ି (ଓଡି ୩୧ ଜି ୨୮୪୩) ରେ ଗଞ୍ଜେଇ ଚାଲାଣ ହେଉଥିବା ପୁଲିସ ଖବର ପାଇଥିଲା । ସଙ୍ଗେ ସଙ୍ଗେ ତରଭା ପୁଲିସ ର ଏକ ଟିମ୍ ସମ୍ପୃକ୍ତ ଗାଡ଼ିକୁ ପିଛା କରିଥିଲା । ଝାରତରଭା ନିକଟରେ ଗାଡ଼ିକୁ ଧରିବାରେ ସକ୍ଷମ ହୋଇଥିଲା ପୁଲିସ । କିନ୍ତୁ ପୁଲିସ କୁ ଦେଖି ଚାଲାଣକାରୀ ମାନେ ଗାଡ଼ି ଓ ଗଞ୍ଜେଇ ଛାଡ଼ି କୁଆଡେ ଫେରାର ମାରିଥିଲେ । ଗାଡ଼ିର ଯାଞ୍ଚ କରିବାରୁ ସେଠାରୁ ୨୫ ପ୍ୟାକେଟ ରୁ ଅଧିକ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ କାଢି ଓଜନ କରାଯାଇଥିଲା । ତେବେ ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୬ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି । ଗଞ୍ଜେଇ ଓ ଗାଡ଼ି ଜବତ କରି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।