ବାଲେଶ୍ବର: ବନ୍ୟାଞ୍ଚଳ ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ବାଲେଶ୍ବର ଜିଲ୍ଲାର ଭୋଗରାଇ ଓ ବାଲିଆପାଳ ବ୍ଳକର ୫୦ ରୁ ଅଧିକ ଗାଁ ଏବେ ପାଣି ଘେରରେ ରହିଛି। ଯାହା ଫଳରେ ବିଭିନ୍ନ ଗାଁ ରେ ପାଣି ପଶିବା ସହ ପନିପରିବା ଓ ଧାନ ତଳି ନଷ୍ଟ ହେଇଛି। ଚଳିତ ବର୍ଷ ସୁବର୍ଣ୍ଣରେଖା ନଦୀରେ ଏହା ହେଉଛି ଦ୍ବିତୀୟ ବନ୍ୟା। ଏନେଇ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତି ପରିଡ଼ା ସ୍ୱତନ୍ତ୍ର ଏକ ହେଲିକପ୍ଟର ଯୋଗେ ଭୋଗରାଇ ବିନ୍ଧାପଦ୍ମପୁର ହେଲିପ୍ୟାଡ଼ରେ ପହଂଚି ଭୋଗରାଇ ଠାରୁ ପାୱାର ବୋର୍ଟ ଯୋଗେ ବିଭିନ୍ନ ବନ୍ୟାଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଉପମୁଖ୍ୟମନ୍ତ୍ରୀ ପ୍ରଥମେ ଆକାର୍ଶ ମାର୍ଗ ଜିଲ୍ଲାର ବିଭିନ୍ନ ବନ୍ୟାଞ୍ଚଳ ବୁଲି ଦେଖିବା ପରେ ପାୱାର ବୋର୍ଟରେ ଜଳବନ୍ଦୀ ଅଞ୍ଚଳକୁ ଯାଇ ସ୍ଥିତି ପରଖିଛନ୍ତି। ଏହାପରେ ସଡକ ପଥରେ ବାଲିଆପାଳ ବ୍ଲକର ବିଭିନ୍ନ ବନ୍ୟାଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ସହ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।
ଭୋଗରାଇ ବ୍ଲକ୍ ରେ ବାଉଁଶଖଣା ପ୍ରାଥମିକ ବିଦ୍ୟାଳୟଠାରେ ସ୍ଥାନୀୟ ଜନସାଧାରଣଙ୍କ ସହ ବନ୍ୟା ପରିସ୍ଥିତି, କ୍ଷୟକ୍ଷତି ଏବଂ ସମସ୍ତ ପ୍ରାଥମିକ ସୁବିଧା ଉପଲବ୍ଧ ହେବା ବିଷୟରେ ଆଲୋଚନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ। ଏଭଳି ଜରୁରୀକାଳୀନ ପରିସ୍ଥିତିରେ ଲୋକମାନଙ୍କୁ ଆବଶ୍ୟକୀୟ ସମସ୍ତ ସୁବିଧା ଯୋଗାଇଦେବା ପାଇଁ ଲୋକପ୍ରତିନିଧିମାନଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରିବା ପାଇଁ ସମସ୍ତ ଅଧିକାରୀମାନଙ୍କୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଜଳକା ନଦୀରେ ବନ୍ୟା ଆସିବା ଯୋଗୁଁ ବସ୍ତା ବ୍ଲକର ୮ଟି ପଞ୍ଚାୟତ ଏବଂ ସଦର ବ୍ଲକର ଦୁଇଟି ପଞ୍ଚାୟତ ପ୍ରଭାବିତ ହୋଇଥିବା ବେଳେ ହଜାର ହଜାର ହେକ୍ଟର ଚାଷ ଜମିରେ ଲହଡି ମାରୁଛି ବନ୍ୟା ପାଣି । ସୁବର୍ଣ୍ଣରେଖା ନଦୀ ବନ୍ୟା ପାଣିରେ ବାଲିଆପାଳ ବ୍ଲକର ୬ଟି ପଞ୍ଚାୟତର ୩୦ରୁ ଉର୍ଦ୍ଧ୍ବ ଗାଁ ,ଭୋଗରାଇ ବ୍ଲକର ୮ଟି ପଞ୍ଚାୟତର ୪୦ରୁ ଉର୍ଦ୍ଧ୍ବ ଗାଁ ଏବଂ ଜଳେଶ୍ବର ବ୍ଲକର ୩ଟି ପଞ୍ଚାୟତ ବନ୍ୟା ପାଣି ଘେରରେ ରହିଛି ।