ତାଳଚେର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନିଜେ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିବା ତାଳଚେର ହାଣ୍ଡିଧୁଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ରୂପାନ୍ତରଣ ତଥା ଭିତ୍ତିଭୂମିର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଅନୁଦାନ ୧ କୋଟି ୩୭ ଲକ୍ଷ ଟଙ୍କାରେ ବିଦ୍ୟାଳୟର ରୂପାନ୍ତରକରଣ ହେବ । ସେହିପରି ସ୍ମାର୍ଟ କ୍ଲାସରୁମ, ରୋଷେଇ ଘର, ନୂଆ ଭବନ ଏବଂ ଡାଇନିଂ ହଲ ଏବଂ ଅନ୍ୟାନ୍ୟ କାର୍ଯ୍ୟର ଉଦଘାଟନ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସହ ସମୟ ଅତିବାହିତ କରିବା ସହ ପିଲାଦିନର ସ୍ମୃତିକୁ ମନେପକାଇଛନ୍ତି । ସେ କହିଛନ୍ତି ଯେ ଏହି ସ୍କୁଲରେ ମୁଁ ମୋ ଜୀବନର ପ୍ରାଥମିକ ଶିକ୍ଷା ଗ୍ରହଣ କରିଛି । ପିଲାଦିନର ଅନେକ ସ୍ମୃତି ଏହି ସ୍କୁଲ ସହ ଜଡ଼ିତ । ଏହା ମୋର ଘର ପରି ମନେହୁଏ । ଉକ୍ତ ବିଦ୍ୟାଳୟ ସ୍ଥାନୀୟ ଅଞ୍ଚଳରେ ପ୍ରାଥମିକ ଶିକ୍ଷାରେ ଏକ ସମ୍ମାନସ୍ପଦ ଅନୁଷ୍ଠାନ ଭାବରେ ଉଭା ହୋଇଛି । ସ୍କୁଲର ଉନ୍ନତି ପାଇଁ ବହୁତ ଦିନରୁ ଇଚ୍ଛା ଥିଲା ।
ନୂତନ ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ଆମେ ଯେଉଁ ସାମଗ୍ରିକ, ମୂଳ ଏବଂ ଭବିଷ୍ୟତବାଦୀ ଶିକ୍ଷା ବ୍ୟବସ୍ଥାର କଳ୍ପନା କରୁଛୁ ତାହା ଏହି ବିଦ୍ୟାଳୟଗୁଡ଼ିକ ମାଧ୍ୟମରେ ସାକାର ହେବ, ଯେଉଁଠାରେ ଶିକ୍ଷା କେବଳ ପରୀକ୍ଷା ନୁହେଁ ବରଂ ବ୍ୟକ୍ତିତ୍ୱ ଏବଂ ରାଷ୍ଟ୍ର ନିର୍ମାଣର ଏକ ମାଧ୍ୟମ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।
ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ବିଦ୍ୟାଳୟର ମଧ୍ୟାହ୍ନଭୋଜନ ସ୍ଥିତି ପରଖିବା ସହିତ ନିଜେ ମଧ୍ୟ ଭୋଜନ କରିଛନ୍ତି । ସେହିପରି ଅନ୍ୟାନ୍ୟ ବ୍ୟବସ୍ଥା ବିଷୟରେ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।