ବଲାଙ୍ଗୀର: କନିଷ୍ଠ ଯନ୍ତ୍ରୀରୁ ନିର୍ବାହୀ ଯନ୍ତ୍ରୀ ହୋଇଥିବା ସରକାରୀ ବାବୁଙ୍କର ଅଚଳାଚଳ ସମ୍ପତ୍ତି ଠାବ । କେଉଁଠି ବଡ଼ ବଡ଼ କୋଠା ନିର୍ମାଣ କରିଛନ୍ତି ତ ଆଉ କେଉଁଠି ହାତେଇଛନ୍ତି ଜମି । ଟିଟିଲାଗଡ଼ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲେଶ୍ୱର ମାଝୀଙ୍କର ଏକାଧିକ ଠିକଣାର ଚଢ଼ଉବେଳେ ଭିଜିଲାନ୍ସ ଟିମ୍ ଅମାପ ସମ୍ପତ୍ତି ଠାବ କରିଛି ।
ସମ୍ବଲପୁର, ଝାରସୁଗୁଡ଼ା ବ୍ରଜରାଜ ନଗର ଏବଂ ଲହଣ୍ଡାପୁରରେ ୪ଟି ବହୁତଳ ବିଶିଷ୍ଟ କୋଠା ନିର୍ମାଣ କରିଥିବାବେଳେ ଗୋଟିଏ ମାର୍କେଟ କଂପଲେକ୍ସ ଠାବ ହୋଇଛି । ସେହିପରି ସମ୍ବଲପୁର ଏବଂ ଝାରସୁଗୁଡ଼ାରେ ୯ଟି ଦାମୀ ପ୍ଲଟ୍ ମଧ୍ୟ ହାତେଇଛନ୍ତି । ଖାଲି ସେତିକି ନୁହେଁ ବାସଭବନ ଯାଞ୍ଚବେଳେ ନଗଦ ୬ ଲକ୍ଷ ୫୭ ହଜାର ଟଙ୍କା ସହ ୩୦୦ ଗ୍ରାମର ସୁନା ଅଳଙ୍କାର ଜବତ ହୋଇଛି । ସେପଟେ ବ୍ୟାଙ୍କରେ ମଧ୍ୟ ୨୦ ଲକ୍ଷ ଟଙ୍କାର ଜମା ରାଶି ଏବଂ ଗୋଟିଏ ୪ ଚକିଆ ଗାଡ଼ି ଥିବା ଜଣାପଡ଼ିଛି ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜ ସକାଳୁ ଦିଲେଶ୍ୱରଙ୍କ ଘରେ ଭିଜିଲାନ୍ସ ଟିମ ପାଚେରୀ ଡେଇଁ ଘରେ ପ୍ରବେଶ କରିଥିଲା । ସମ୍ବଲପୁର, ବ୍ରଜରାଜନଗର, ଝାରସୁଗୁଡାରେ ଏକାକାଳୀନ ୬ଟି ସ୍ଥାନରେ ରେଡ୍ ହୋଇଥିଲା । ଏଥିରେ ଓଡିଶା ଭିଜିଲାନ୍ସର ୫ ଡିଏସଏସପି, ୮ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଚଢ଼ଉ ଜାରି ରହିଛି ।
କାର୍ଯ୍ୟକାଳ
୧୯୯୯ ଅଗଷ୍ଟ ମାସରେ ଦିଲେଶ୍ୱର ମାଝୀ କର୍ମ ବିଭାଗରେ ବରଗଡ଼ରେ କନିଷ୍ଠ ଯନ୍ତ୍ରୀ ଭାବରେ ଚାକିରୀ ଆରମ୍ଭ କରିଥିଲେ । ୨୦୦୧ରେ ମାଝୀଙ୍କୁ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକକୁ ଜେଇ ଭାବରେ ବଦଳି କରାଯାଇଥିଲା ଏବଂ ସେ ୨୦୦୩ ପର୍ଯ୍ୟନ୍ତ ସେଠାରେ କାର୍ଯ୍ୟ କରିଥିଲେ । ୨୦୦୩ ରୁ ୨୦୦୭ ପର୍ଯ୍ୟନ୍ତ ସେ ଝାରସୁଗୁଡା ଜିଲ୍ଲାର ବିଭିନ୍ନ ବ୍ଲକରେ ଜେଇ ଭାବରେ କାର୍ଯ୍ୟ କରିଥିଲେ । ପୁଣି ୨୦୦୮ ରୁ ୨୦୧୩ ପର୍ଯ୍ୟନ୍ତ ସେ କଣ୍ଟାବାଞ୍ଜି ଆର ଆଣ୍ଡ ବି ଡିଭିଜନରେ ଜେଇ ଭାବରେ କାର୍ଯ୍ୟ କରିଥିଲେ । ୨୦୧୪ ସହକାରୀ ଯନ୍ତ୍ରୀ ପଦୋନ୍ନତି ପାଇ ବରଗଡ଼ର ଆର ଆଣ୍ଡ ବି ଡିଭିଜନ ଅଧୀନରେ ବିଭିନ୍ନ ଡିଭିଜନରେ କାର୍ଯ୍ୟ କରିଥିଲେ । ସେହିପରି ୨୦୨୨ରେ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବୀକୁ ପଦୋନ୍ନତି ପାଇ ଏବଂ ଟିଟିଲଗଡ଼ରେ କାର୍ଯ୍ୟରତ ଅଛନ୍ତି।