ପୁରୀ: ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଏହି ଯାତ୍ରା ପୂର୍ବ ଦିନ ଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପରେ ପରମ୍ପରା ଭାବେ ଶ୍ରୀଜିଉଙ୍କ ସନ୍ଧ୍ୟା ଦର୍ଶନ ହୋଇଥାଏ । ତେବେ ଏଥର ବାହୁଡା ଯାତ୍ରାର ପୂର୍ବ ପ୍ରସ୍ତୁତି ତଥା ନୀତି ବହୁଳତା ଦୃଷ୍ଟିରୁ ଶୁକ୍ରବାର ଜୁଲାଇ ୪ରେ ସନ୍ଧ୍ୟା ଦର୍ଶନ ଦିନ ସନ୍ଧ୍ୟା ୬ଟାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାରରେ ସର୍ବସାଧାରଣ ପ୍ରବେଶ ବନ୍ଦ ରହିବ । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ, ନିର୍ଦ୍ଧାରିତ ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିରର ଶୋଧ ଅନୁଷ୍ଠିତ ହେବା ପରେ ଶ୍ରୀଜୀଉଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ନୀତି ସଂପାଦନ ହେବ । ଭକ୍ତ ଓ ଶ୍ରଦ୍ଧାଳୁମାନେ ବାହୁଡା ଯାତ୍ରା ଦିନ ରଥାରୂଢ ଶ୍ରୀବିଗ୍ରହମାନଙ୍କ ଦର୍ଶନ କରି ପାରିବେ । ତେଣୁ ସନ୍ଧ୍ୟା ଦର୍ଶନ ସଂପର୍କିତ ଏହି ବ୍ୟବସ୍ଥାକୁ ମହାପ୍ରଭୁଙ୍କ ନୀତି ସଂପାଦନରେ ନିଜର ସେବା ସମର୍ପଣ ମନେ କରି ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସହଯୋଗ କାମନା କରିଛି ପ୍ରଶାସନ ।
ଶୁକ୍ରବାର ସନ୍ଧ୍ୟା ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ପାଇଁ ଶରଧାବାଲିରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । କାରଣ ରବିବାର ଭୋର ସକାଳ ୪ଟା ୩୦ରେ ଦଳାଚକଟା ଘଟି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ । ତେଣୁ ବାହୁଡାଯାତ୍ରା, ସୁନାବେଶ ଓ ନିଳାଦ୍ରୀବିଜେ ପାଇଁ ତତ୍ପର ରହିଛନ୍ତି ସରକାର ଓ ପୂରା ପ୍ରଶାସନ ।