ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଭୁବନେଶ୍ୱର ଆଇଆରସି ଭିଲେଜରେ ନବ ନିର୍ମିତ “ଶବରୀ ସାଂସ୍କୃତିକ ଭବନ” ଉଦଘାଟନ କରିଛନ୍ତି । କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଏହା ନିର୍ମାଣ କରାଯାଇଛି । ରହଣି ସ୍ଥାନର ଉନ୍ନତିକରଣ ପାଇଁ ୨ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି । ଏଥିସହିତ ଭବନର ସମସ୍ତ ଆବଶ୍ୟକୀୟ ନିର୍ମାଣ ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଆମ ଆଦିବାସୀ ସମାଜ ଓଡ଼ିଶାର ଗର୍ବ, ଆମ ସଂସ୍କୃତିର ମୂଳ ଆଧାର। ଏହି ସମାଜକୁ ଆଗକୁ ଆଣିବା ପାଇଁ ଏକ ଆଦିବାସୀ ସନ୍ତାନ ଭାବରେ ସର୍ବଶକ୍ତି ଲଗାଇବି ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶବରୀ ଭବନ କେବଳ ଏକ ଆଶ୍ରୟସ୍ଥଳ ନୁହେଁ, ଏହା ଆଦିବାସୀ ଯୁବ ଓ ନେତୃତ୍ୱର ଉଦୟ ପାଇଁ ଏକ ମଞ୍ଚ ହେବ । ଆଦିବାସୀ ଭାଇ ଓ ଭଉଣୀମାନଙ୍କ ପାଇଁ ସ୍ଵଳ୍ପକାଳୀନ ରହଣି ସହିତ ଶିକ୍ଷା, କାର୍ଯ୍ୟ ଓ ସାଂସ୍କୃତିକ କାର୍ଯ୍ୟ ପାଇଁ ଏକ କେନ୍ଦ୍ର ଭାବେ କାର୍ଯ୍ୟ କରିବ । ଶିକ୍ଷା, ଚିକିତ୍ସା, ନିଯୁକ୍ତି, ଓ ଉନ୍ନତିର ମାର୍ଗ ଏହିଠାରୁ ଆରମ୍ଭ ହେବ। ଆଦିବାସୀ ସଂସ୍କୃତି କେବଳ ନାଚ, ଗୀତରେ ସୀମାବଦ୍ଧ ନୁହେଁ, ଏହା ହେଉଛି ଏକ ଜୀବନ ଶୈଳୀ, ଏକ ଆତ୍ମା । ତେଣୁ ଏହାର ସୁରକ୍ଷା ଏବଂ ପ୍ରଚାର କରିବା ଆମ ସମସ୍ତଙ୍କ ଦାୟିତ୍ୱ । ଏହାକୁ ଜୀବିତ ରଖି, ପରିସ୍ଫୁଟ କରିବା କରିବା ଦିଗରେ ଶବରୀ ଭବନ ଏକ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ।
ସେ କହିଥିଲେଯେ, ଭୁବନେଶ୍ୱରରେ ଆଦିବାସୀ ସଂସ୍କୃତି ଓ ଐତିହ୍ୟ ଭବନ ଏବଂ ଆଦିବାସୀ ଭାଷା ପ୍ରତିଷ୍ଠାନ ମଧ୍ୟ ପ୍ରତିଷ୍ଠା କରାଯାଉଛି। ରାଜ୍ୟର ୪୦ ପ୍ରତିଶତ ଜନଜାତି ଏବଂ ଅନୁସୂଚିତ ଜାତିଙ୍କ କଲ୍ୟାଣ ପାଇଁ ରେକର୍ଡ ୬୮ ହଜର ୮୮୧ କୋଟି ତାଙ୍କର ବିଶେଷ ପ୍ରାବଧାନ କରାଯାଇଛି। ନିୟମିତ କଲ୍ୟାଣକାରୀ ଯୋଜନା ବ୍ୟତୀତ ଏହି ଟଙ୍କା କେବଳ ତାଙ୍କ ପାଇଁ ଖର୍ଚ୍ଚ ହେବ। ଏହା ହେଉଛି ଆମ ସରକାରଙ୍କ ଜନଜାତିଙ୍କ ପାଇଁ ପ୍ରତିବଦ୍ଧତା । ମୁଁ ବିଶ୍ୱାସ କରେ – ଯେଉଁ ସମାଜ ତାଙ୍କର ମୂଳ ଚିହ୍ନକୁ ସମ୍ମାନ କରେ, ସେଇ ସମାଜ ତୀବ୍ର ଗତିରେ ଅଗ୍ରସର ହୁଏ। ଆମ ଆଦିବାସୀ ସମାଜ ଓଡ଼ିଶାର ଗର୍ବ, ଆମ ସଂସ୍କୃତିର ମୂଳ ଆଧାର। ଏହି ସମାଜକୁ ଆଗକୁ ଆଣିବା ପାଇଁ ଏକ ଆଦିବାସୀ ସନ୍ତାନ ଭାବରେ ସର୍ବଶକ୍ତି ଲଗାଇବି ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ୨୦୩୬ ସୁଦ୍ଧା ଆମେ ଲକ୍ଷ୍ୟ ରଖିଛୁ ରାଜ୍ୟର ସର୍ବାଙ୍ଗୀନ ବିକାଶ, ସାମଗ୍ରିକ ଅଭିବୃଦ୍ଧି ଏବଂ ଜନଜାତି ସଶକ୍ତିକରଣ ଜରିଆରେ ଏକ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ । ସମୃଦ୍ଧ ଓଡିଶା ଗଠନ ଦିଗରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ରାଜ୍ୟର ୨୪ ପ୍ରତିଶତ ଜନଜାତି । ସରକାର କେବଳ ଅବିଭକ୍ତ ନୁହେଁ, ସାରା ରାଜ୍ୟକୁ ସମତୁଲ ଭାବେ ବିକାଶ କରିବା ପାଇଁ ବଦ୍ଧପରିକର। ଏହି ଶବରୀ ଭବନ ଓଡ଼ିଶାବାସୀଙ୍କ ସ୍ୱାଭିମାନର ପରିଚୟ ହେବ, ଓ ନୂଆ ପିଢ଼ି ପାଇଁ ଏକ ଅନୁପ୍ରେରଣା ରୂପେ ଦୀପ୍ତିମାନ ରହିବ।