ନୂଆପଡ଼ା: ମହାନତା ଦେଖାଇଲେ ଜିଲ୍ଲାପାଳ । ଜିଲ୍ଲାକୁ ପ୍ଲାଷ୍ଟିକ୍ ମୁକ୍ତ କରିବାକୁ ଆରମ୍ଭ ହୋଇଥିବା ଅଭିଯାନରେ ସାମିଲ ହୋଇ ନିଜେ ବଜ୍ୟବସ୍ତୁ ଉଠାଇବା ସହ ସ୍ୱଚ୍ଛତା ଦିଗରେ ଧ୍ୟାନ ଦେବାକୁ ପରାମର୍ଶ ଦେଲେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ । ଏଥିସହ ଜିଲ୍ଲାରେ ସାମୁହିକ ବୃକ୍ଷରୋପଣ ଅଭିଯାନକୁ ବ୍ୟାପକ କରିବାକୁ ସେ କହିଛନ୍ତି ।
ନୂଆପଡା ଜିଲ୍ଲାକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ କରିବା ଉଦ୍ଧେଶ୍ୟରେ ନୂଆପଡା ଜିଲା ପ୍ରଶାସନ ଓ ୟୁନିସେଫ ପକ୍ଷରୁ ଗୁରୁତ୍ଵପୂର୍ଣ ପଦକ୍ଷେପ ନିଆଯାଇଛି । ଗତ ଜୁନ ୫ତାରିଖରେ ଆୟୋଜିତ ବିଶ୍ଵପରିବେଶ ଦିବସ ଉପଲକ୍ଷେ ନୂଆପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ କରାଯିବା ପାଇଁ ସଂକଳ୍ପ ନେଇଥିଲେ । ଆଉ ଏହାକୁ ସଫଳ କରିବା ପାଇଁ ନୂଆପଡା ଜିଲ୍ଲା ପ୍ରଶାସନ ଏବେ ଅଣ୍ଟା ଭିଡିଛି । ଫଳରେ ଜିଲ୍ଲାପ୍ରଶାସନର ପ୍ରଚେଷ୍ଟାରେ ଦିନକରେ ଗ୍ରାମାଞ୍ଚଳରୁ ନେଇ ସହରାଞ୍ଚଳ ଯାଏଁ ୩ହଜାର ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ୩୦ଟନ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇଛି । ଏଥିସହ ଜିଲ୍ଲାରେ ସବୁଜ ବନାନୀ ପ୍ରାକୃତିକ ପରିବେଶ ସୃଷ୍ଟି କରିବା ପାଇଁ ୧ଲକ୍ଷ ବୃକ୍ଷ ଚାରା ରୋପଣ କରାଯାଇଛି । ଏହା ରାଜ୍ୟରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ଜିଲା ଭାବେ ରେକର୍ଡ ସୃଷ୍ଟି କରିଛି ।
ଏହି ଅଭିଯାନରେ ନୂଆପଡା ଜିଲ୍ଲାପାଳଙ୍କ ସମେତ ୟୁନିସେଫର ପ୍ରତିନିଧି ଦଳ, ଜିଲ୍ଲା ପ୍ରଶାସନର ସମସ୍ତ କର୍ମଚାରୀ,ସ୍ଥାନିୟ ଜନପ୍ରତିନିଧି, ଅଙ୍ଗନବାଡ଼ି ଓ ଆଶାକର୍ମୀ,ସ୍ଵୟଂ ସହାୟକ ଗୋଷ୍ଠିର ମହିଳା, ସ୍ଵେଛାସେବୀ, ଛାତ୍ରଛାତ୍ରୀ ଓ ସଚେତନ ନାଗରିକମାନେ ସାମିଲ ହୋଇ ଅଭିଯାନକୁ ସଫଳ କରିଛନ୍ତି । ଏହି ଅବସରରେ ୟୁନିସେଫରୁ ଆସିଥିବା ପ୍ରତିନିଧି ଦଳ ନୁଆପଡା ଜିଲାପ୍ରଶାସନ ପକ୍ଷରୁ ଆୟୋଜିତ ପ୍ଲାଷ୍ଟିକ ମୁକ୍ତ ଅଭିଯାନକୁ ଭୂୟଶୀ ପ୍ରଶଂସା କରିଛନ୍ତି।