ପୁରୀ: ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ବାହୁଡା ପ୍ରସ୍ତୁତି । ଜନ୍ମବେଦୀରେ ନବଦିନାତ୍ମକ ଯାତ୍ରା ସାରି ରତ୍ନବେଦିକୁ ଫେରିବେ ଚତୁର୍ଦ୍ଧାମୂରତି । ମହାପ୍ରଭୁଙ୍କ ପ୍ରତ୍ୟାଗମନ ପାଇଁ ରଥ ଦକ୍ଷିଣ ମୋଡ଼ ନେଇଛି । ଗତକାଲି ଆଜ୍ଞାମାଳ ଆସିବା ପରେ ନାକଚଣା ଦ୍ୱାର ନିକଟରେ ଦର୍ପଦଳନ ଓ ତାଳଧ୍ବଜ ରଥ ପହଞ୍ଚିଥିବା ବେଳେ ଆଜି ନନ୍ଦିଘୋଷ ରଥ ଦକ୍ଷିଣ ମୋଡ ନେଇଛି ।
ସୂଚନା ଅନୁସାରେ, ଆସନ୍ତା ୫ ତାରିଖରେ ବାହୁଡ଼ା ଯାତ୍ରା । ଏଥିଲାଗି ପରମ୍ପରା ଅନୁଯାୟୀ ବୁଧବାର ତିନିରଥର ଦକ୍ଷିଣ ମୋଡ଼ କରାଯାଉଥିଲା । ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ଦକ୍ଷିଣ ମୋଡ଼ ହୋଇ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ସମ୍ମୁଖରେ ଲାଗିଥିବା ବେଳେ ନୀତି ବିଳମ୍ବ ଯୋଗୁଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗଡ଼ିପାରି ନଥିଲା । ଯେଉଁଥିପାଇଁ ଆଜି ସକାଳ ୯ଟା ସମୟରେ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ କରାଯାଇଛି ।
ତେବେ ଗତକାଲି ପୁଲିସ କର୍ମଚାରୀମାନେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ଦେବଦଳନ ରଥକୁ ଟାଣି ନେଇଥିଲେ। ସେଠାରେ ରଥକୁ ବୁଲାଯାଇ ନାକଚଣା ଦ୍ବାରକୁ ଅଣାଯାଇଥିଲା । ପ୍ରଥମେ ଦେବଦଳନ ରଥ ନାକଚଣା ଦ୍ବାର ସମ୍ମୁଖରେ ଲାଗିଥିଲା। ପରେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ଟଣା ଆରମ୍ଭ ହୋଇ ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ନାକଚଣା ଦ୍ବାରରେ ପହଞ୍ଚିଥିଲା। ଏବେ ତିନି ରଥ ନାକଚଣା ଦ୍ୱାର ନିକଟରେ ଲାଗିଥିବା ଜଣାପଡିଛି ।