ବୌଦ୍ଧ: ରାଜ୍ୟରେ ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଅମୂଲ୍ୟ ଜୀବନ ଚାଲିଯାଇଛି । ଗୋଟିଏ ପଟେ ମୃତ ବାପାଙ୍କୁ ପୁଅ ବୋହୂ ମୁଖାଗ୍ନି ଦେଇ ପାରିନଥିବାବେଳେ ଅନ୍ୟପଟେ ସ୍ତ୍ରୀ ଓ ଝିଅର ଆଖି ସାମ୍ନାରେ ଚାଲିଗଲା ସ୍ୱାମୀ । ଏଭଳି ଦୁଃଖଦ ଖବର ବୌଦ୍ଧ ଏବଂ କଟକ ସାଲେପୁରରୁ ଆସିଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ଗଣିଆ ଅଞ୍ଚଳର ରାଜ କିଶୋର ସାହୁ ଏବଂ ତାଙ୍କ ଧର୍ମପତ୍ନୀ ମୀନାରାଣୀ ସାହୁ ନୂଆପଡ଼ାରେ ରୁହନ୍ତି । ବାପାଙ୍କ ମୃତ୍ୟୁ ଖବର ପାଇଁ ଦମ୍ପତ୍ତି କାରରେ ଘରକୁ ଆସୁଥିଲେ । ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ, ଆଦର୍ଶ ଥାନା ରାମ୍ଭିକଟା ନିକଟରେ ସେମାନଙ୍କ କାର୍ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ଉଭୟ କିଶୋର ସାହୁ ଏବଂ ମୀନାରାଣୀଙ୍କ ଘଟଣା ସ୍ଥଳରେ ପ୍ରାଣ ବାୟୁ ଉଡ଼ିଯାଇଥିଲା । ବାପାଙ୍କୁ ଶେଷ ଦର୍ଶନ କରିବା ଏବଂ ମୁଖାଗ୍ନି ଦେବା ଅଧୁରା ରହିଗଲା । ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହ ଏବଂ କାର୍ ଜବତ କରି ତଦନ୍ତ ଆରମ୍ଭ କରିଛି ।
ଅନ୍ୟପକ୍ଷରେ କଟକ ଜିଲ୍ଲା ସାଲେପୁରରେ ବିଳମ୍ୱିତ ରାତିରେ ବିବାହ ଭୋଜିରୁ ଘରକୁ ବାଇକରେ ଫେରୁଥିବା ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ନାନ୍ଦୋଳ ବଜାର ନିକଟରେ ବାଇକ୍ ଏବଂ ବୋଲେରୋ ସାମ୍ନାସାମ୍ନି ଧକ୍କା ହେବା ଫଳରେ ରାଜୁ ମଳିକ(୨୭ ବର୍ଷ)ଙ୍କର ମୃତ୍ୟୁ ହୋଇଛି । ସ୍ତ୍ରୀ ରିନି ମଳିକ(୨୪ବର୍ଷ) ଓ ପାଞ୍ଚ ବର୍ଷର ଝିଅ ଗୁରୁତର ହୋଇଛନ୍ତି । ମା ଏବଂ ଝିଅକୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସାଲେପୁର ଥାନା ପୋଲିସ ମୃତ ଦେହକୁ ଜବତ କରି ଯାଞ୍ଚ ଆରମ୍ଭ କରିଛି ।