ମଧ୍ୟପ୍ରଦେଶର ଛତରପୁରରେ ଥିବା ବାଗେଶ୍ୱର ଧାମରେ ବଡ଼ ଅଘଟଣ । ଗୁରୁବାର ବାଗେଶ୍ୱର ଧାମରେ ଝଡବର୍ଷା ହେଉଥିବା ବେଳେ ମଣ୍ଡପର ଏକ ଅଂଶ ଭୁଷୁଡ଼ି ପଡିଛି । ଯାହାଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି । ସେହିପରି ଆହତଙ୍କୁ ତୁରନ୍ତ ଛତରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଘଟଣା ମୁତାବିକ ଗୁରୁବାର ସକାଳ ୭ଟାରେ ଆରତୀ ପରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଆରତୀ ସମୟରେ ବର୍ଷା ହେଉଥିଲା। ଏହି ସମୟରେ ଏକ ବିରାଟ ଭିଡ଼ ଜମା ହୋଇଥିଲା। ବର୍ଷାରୁ ରକ୍ଷା ପାଇବା ପାଇଁ ଲୋକମାନେ ତମ୍ବୁ ତଳେ ଛିଡାହୋଇଥିଲେ । ଏହି ସମୟରେ ତମ୍ବୁଟି ଖସିପଡିବାରୁ ଏଭଳି ଅଘଟଣ ଘଟିଛି ।
ଲୁହା ଆଙ୍ଗଲ୍ ପଡ଼ିଯିବାରୁ ଭକ୍ତଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଜଣଙ୍କ ମୃତ୍ୟୁ ହେବା ସହ ୮ଜଣ ଆହତ ହୋଇଛନ୍ତି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଉତ୍ତର ପ୍ରଦେଶର ଜିଲ୍ଲା ବସ୍ତିର ଚୌରୀ ସିକନ୍ଦରପୁରରେ ରହୁଥିବା ରାଜେଶଙ୍କ ୫୦ ବର୍ଷିୟ ଶ୍ୱଶୁର ଶ୍ୟାମଲାଲ କୌଶ। ପରିବାରର ୬ଜଣ ସଦସ୍ୟଙ୍କ ସହ ସେ ବାବା ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ଦର୍ଶନ କରିବାକୁ ବାଗେଶ୍ବର ଧାମ ଆସିଥିଲେ ।