ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓଲା, ଉବର ଏବଂ ରାପିଡୋ ଭଳି କ୍ୟାବ୍ କମ୍ପାନୀଗୁଡ଼ିକୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ଓଲା, ଉବର, ରାପିଡୋ ଏବଂ ଇନଡ୍ରାଇଭରେ ଯାତ୍ରା କରୁଥିଲେ, ଆଗକୁ ଅଧିକ ଭଡ଼ା ଦେବାକୁ ପଡ଼ିପାରେ । ଏବେ ଏହି କମ୍ପାନୀଗୁଡ଼ିକ ପିକ୍ ଟାଇମ୍ ସମୟରେ ଅର୍ଥାତ୍ ଯେତେବେଳେ ଟ୍ରାଫିକ୍ କିମ୍ବା ଚାହିଦା ଅଧିକ ଥାଏ, ସେତେବେଳେ ମୂଳ ଭଡ଼ା ଦୁଇଗୁଣ ପର୍ଯ୍ୟନ୍ତ ନେଇପାରିବେ। ପୂର୍ବରୁ ଏହି ସୀମା ୧.୫ ଗୁଣ ଥିଲା। ମୋଟର ଯାନବାହନ ଏଗ୍ରିଗେଟର ନିର୍ଦ୍ଦେଶାବଳୀ ୨୦୨୫ ଅଧୀନରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (MoRTH) ଦ୍ୱାରା ଏହି ପରିବର୍ତ୍ତନ କରାଯାଇଛି। ସରକାର ସମସ୍ତ ରାଜ୍ୟକୁ ୩ ମାସ ମଧ୍ୟରେ ଏହି ନିୟମଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି।
ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଏନେଇ ନିୟମ ଜାରି କରିଛି । ମନ୍ତ୍ରାଳୟ ଅନୁସାରେ, ଏହାର ଲକ୍ଷ୍ୟ ହେଉଛି ଯେ, ଅଧିକ ଚାହିଦା ଥିବା ସମୟରେ ଯାତ୍ରୀଙ୍କୁ ଉଚିତ ମୂଲ୍ୟରେ ରାଇଡ୍ ମିଳୁ ଏବଂ କମ୍ପାନିଗୁଡ଼ିକ ମନଇଚ୍ଛା ରିହାତି ନ ଦିଅନ୍ତୁ । ଭିନ୍ନ ଭିନ୍ନ ପ୍ରକାର ଗାଡ଼ି ଯଥା ଟ୍ୟାକ୍ସି, ଅଟୋରିକ୍ସା ଏବଂ ବାଇକ୍ ଟ୍ୟାକ୍ସି ପାଇଁ ମୂଳଭଡ଼ା ରାଜ୍ୟ ସରକାର ସ୍ଥିର କରିବେ। ଯଦି କୌଣସି ରାଜ୍ୟ ଏ ଯାଏ ମୂଳଭଡ଼ା ନିର୍ଦ୍ଧାରଣ କରିନାହାନ୍ତି, ତେବେ ରାଇଡ୍ ହେଲିଙ୍ଗ୍ କମ୍ପାନିକୁ ରାଜ୍ୟ ସରକାରଙ୍କୁ ନିଜର ଭଡ଼ା ଜଣାଇବାକୁ ପଡ଼ିବ। ସେହିଭଳି ରାଇଡ୍ ବାତିଲ ମାମଲାରେ ବି ନିୟମକୁ କଡ଼ାକଡ଼ି କରାଯାଇଛି। ଯଦି ଡ୍ରାଇଭର ଆପ୍ ରେ ରାଇଡ୍ ରିକ୍ୱଷ୍ଟେ ଗ୍ରହଣ କରିବା ପରେ ବିନା କୌଣସି ଠୋସ୍ କାରଣରେ ଏହାକୁ ବାତିଲ କରାନ୍ତି, ତେବେ ତାଙ୍କ ଉପରେ ଭଡ଼ାର ୧୦% ଜରିମାନା ଲାଗିବ, ଯାହା ସର୍ବାଧିକ ୧୦୦ ଟଙ୍କା ପର୍ଯ୍ୟନ୍ତ ଯାଇପାରିବ। ଏହି ଜରିମାନାକୁ ଡ୍ରାଇଭର ଏବଂ ରାଇଡ୍-ହେଲିଂ କମ୍ପାନି ଉଭୟଙ୍କୁ ଏକତ୍ର ଭାବେ ଦେବାକୁ ପଡ଼ିବ।
ନୂଆ ନିୟମ ଅନୁସାରେ, ରାଇଡ୍ ହେଲିଂ କମ୍ପାନିଗୁଡ଼ିକ ସହ କାର୍ଯ୍ୟ କରୁଥିବା ସମସ୍ତ ଡ୍ରାଇଭରଙ୍କ ପାଇଁ ବୀମା ସୁବିଧାକୁ ଅନିବାର୍ଯ୍ୟ କରାଯାଇଛି। ପ୍ରତ୍ୟେକ ଡ୍ରାଇଭରଙ୍କୁ ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ଏବଂ ୧୦ ଲକ୍ଷ ଟଙ୍କାର ଟର୍ମ ବୀମା ମିଳିବା ଦରକାର। ମନ୍ତ୍ରାଳୟ ସ୍ପଷ୍ଟ କରିଛି ଯେ, ଡ୍ରାଇଭର ଯାତ୍ରୀଙ୍କୁ ନେବା ପାଇଁ ଯିବା ପୂର୍ବରୁ ଖାଲି ଗାଡ଼ିର ଦେୟ ଲାଗିବ ନାହିଁ । ପିକ୍ଅପ୍ ଦୂରତ୍ୱ ୩ କିଲୋମିଟରରୁ କମ୍ ଥିଲେ ଏ ନିୟମ ଲାଗୁ ହେବ। ଯଦି ପିକ୍ଅପ୍ ଦୂରତ୍ୱ ୩ କିଲୋମିଟରରୁ କମ୍ ଥିବ ସେତେବେଳେ ଯାତ୍ରୀଙ୍କ ଘରଠାରୁ ହିଁ ଭଡ଼ା ଲାଗୁ କରାଯିବ।